କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ କାଉନସେଲିଂ କରୁଛନ୍ତି ବିଶେଷଜ୍ଞ ଟିମ । ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ  

23

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ ମନୋବଳ ବଢ଼ାଇବା ପାଇଁ କାଉନସେଲିଂ । ୟୁନିସେଫର ମଧୁମିତା ଦାସ ଓ ମନୋବିଜ୍ଞାନୀ ଡ. ନମିତା ମହାନ୍ତି କୋରାପୁଟ ଯାଇ ପୀଡିତାଙ୍କୁ କାଉନସେଲିଂ କରିଛନ୍ତି । ଗଣଦୁଷ୍କର୍ମ ଘଟଣା ପରେ ଗଭୀର ମାନସିକ ଓ ଶାରୀରିକ ଆହତ ହୋଇଥିବା ପୀଡିତା ଏବେ ଭାଙ୍ଗି ପଡିଛି । ଏପରିକି ବାରମ୍ବାର ସେ ଅସୁସ୍ଥ ହୋଇ ପଡୁଛି ଏବଂ ତାଙ୍କୁ ମେଡିକାଲରେ  ଭର୍ତି କରିବାକୁ ପଡୁଛି । ତେଣୁ ଏହି ଟିମ ତାଙ୍କୁ କାଉନସେଲିଂ କରିଛନ୍ତି । ଏହି କାଉନସେଲିଂ ଦ୍ୱାରା ପୀଡିତାର ମନୋବଳ ବୃଦ୍ଧି ପାଇବ ବୋଲି ଜଣାପଡିଛି । ପୀଡିତାକୁ ଘର ଲୋକ ଗ୍ରହଣ କରୁନଥିବାବେଳେ ଏବେ ସର୍ଟ ଷ୍ଟେ ହୋମରେ ରଖାଯାଇଛି । ସେହି ସର୍ଟଷ୍ଟେ ହୋମରେ ହିଁ ପୀଡିତାର କାଉନସେଲିଂ କରାଯାଇଛି ।

ସେପଟେ ଘଟଣାକୁ ୨୫ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଁଚିପାରିନି ପୋଲିସ ।  ଏହାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି କଂଗ୍ରେସ । କଂଗ୍ରେସର ୨୫ ଜଣିଆ ପ୍ରତିନିଧି ଦଳ, ପୀଡିତାଙ୍କ ପରିବାର ସହ ମିଶି ରାଜ୍ୟପାଳଙ୍କୁ ଭେଟିଛନ୍ତି । ତଦନ୍ତକୁ ବାଟବଣା କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି । କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ନ୍ୟାୟିକ ତଦନ୍ତ କରିବା ସହ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି କରିଛି କଂଗ୍ରେସ । ଅନ୍ୟପଟେ ଏହି ମାମଲା ନେଇ ବିଷ୍ଣୁ ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛି ବିଜେପି । ଏହା ସହିତ ସରକାରଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଜୁଏଲ କହିଛନ୍ତି ଏହି ମାମଲାରେ ସରକାରୀ ଅଧିକାରୀ ଓ ଲୋକ ସଂପୃକ୍ତ ଥିବାରୁ  ସରକାର ମାମଲାରେ କୋହଳ ମନୋଭାବ ଦେଖାଉଛନ୍ତି ।