ନ୍ୟାୟର ଭିକ୍ଷା ମାଗୁ ମାଗୁ ଜୀବନ ହାରିଲେ କୁନ୍ଦୁଲି ପୀଡିତା! ଶେଷ ହୋଇଗଲା କୁନ୍ଦୁଲିର କଳଙ୍କିତ କାହାଣୀ

71

କନକ ବ୍ୟୁରୋ : ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଓଡ଼ିଶା ଜୋରଦାର ସ୍ୱାଗତ କରୁଥିବା ବେଳେ ଏପଟେ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇବା ଭଳି ଏକ ବଡ ଘଟଣା ଘଟିଛି । ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ବାରମ୍ବାର ଅଭିଯୋଗ ଆଣିଥିବା କୋରାପୁଟର କୁନ୍ଦୁଲି ପୀଡ଼ିତା ଆଜି ଆତ୍ମହତ୍ୟା କରିଛନ୍ତି । ନିଜ ବନ୍ଦ ଘରୁ, ଦଉଡିରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁନ୍ଦୁଲି ପୀଡ଼ିତା ବାରମ୍ବାର ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ ଆଣୁଥିଲେ । କିନ୍ତୁ ପୁଲିସ କହୁଥିଲା-ସେଭଳି କିଛି ଘଟି ନାହିଁ । ଆଉ ଏହା ପରେ ସରକାର, ନ୍ୟାୟିକ ତଦନ୍ତ ଓ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ଭିତରେ ଆଜି ଆତ୍ମହତ୍ୟା କରିଛନ୍ତି କୁନ୍ଦୁଲିର ସେହି ନାବାଳିକା ।

Kunduli Gang Rape: Victim Commits Suicideନିରବିଗଲା ଗୋଟିଏ ନୀରିହ ଜୀବନ । ଆଉ ସେ ମାଗିବନି ନ୍ୟାୟର ଭିକ୍ଷା । କହିପାରିବନି ଆଉ, ତାସହ ଦୁଷ୍କର୍ମ ହୋଇଛି ବୋଲି । କୋରାପୁଟରୁ କଟକ । ୩ ମାସ ଧରି ଚିକ୍ରାର କରି ନ୍ୟାୟ ମାଗୁଥିବା କୁନ୍ଦୁଲିର ନିଷ୍ପାପ ନାବାଳିକା ଶେଷରେ ଜୀବନ ହାରିଛି । ବନ୍ଦ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୀଡିତା ।
ଅକ୍ଟୋବର ୧୦, ୨୦୧୭, ସ୍ଥାନ- କୁନ୍ଦୁଲି, କୋରାପୁଟ । ଜଙ୍ଗଲ ମଧ୍ୟରେ ଯବାନ ବେଶରେ ୪ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କଲେ ନାବାଳିକା । ୧୭ ଦିନ ଧରି ହସପିଟାଲରେ ଚାଲିଲା ଚିକିତ୍ସା । ଦୁଇ ଦୁଇ ଥର ଡାକ୍ତରୀ ମାଇନା କରାଗଲା । ହେଲେ ଡାକ୍ତର କହିଲେ, ରିପୋର୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ ମିଳୁନି । ପୋଲିସ ତଦନ୍ତ ବି ସମାନ କଥା କହିଲା । ହେଲେ ପୀଡିତା ନାବାଳିକା ବାରମ୍ବାର କହି ଚାଲିଥିଲେ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ।

kunduli-case-1-1ତେବେ ଏସବୁ ଭିତରେ କୁନ୍ଦୁଲି ଦୁଷ୍କର୍ମ ଘଟଣାରେ ପଶିଲା ରାଜନୀତି । ଜୋରଦାର ପ୍ରତିବାଦ ପରେ ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ । ପରେ ପରେ ଏଚଆରପିସି ବି ତଦନ୍ତ କଲେ । ରିପୋର୍ଟ ଆସିଲା ମିଛ କହୁଛନ୍ତି କୁନ୍ଦୁଲି ନାବାଳିକା । ଦୁଇ ମାସ ଧରି କୁନ୍ଦୁଲିକୁ ନେଇ ତାତି ନଥମିବାରୁ ବାଧ୍ୟ ହୋଇ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ । ଯାହା ଏଯାଏଁ ଚାଲୁ ରହିଛି । ହେଲେ ପୋଲିସ ଓ ପ୍ରଶାସନର ତଦନ୍ତ ପରେ ତଦନ୍ତ ଭିତରେ ଶେଷରେ ଜୀବନ ହାରିଦେଇଛନ୍ତି କୁନ୍ଦୁଲି ନାବାଳିକା ।

ବିଚାର ବିଭାଗୀୟ ତଦନ୍ତ ଓ କ୍ରାଇମବ୍ରାଂଚ ତଦନ୍ତ ଚାଲିଥିବା ବେଳେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି । ଆଉ ତାସହ ତାଳ ଦେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବି ବଢିଯାଇଛି । କିନ୍ତୁ କୁନ୍ଦୁଲିର ସେହି ନାବାଳିକା ସବୁଦିନ ପାଇଁ ନିରବି ଯାଇଛି । ନ୍ୟାୟ ମାଗି ମାଗି ଶେଷରେ ଆତ୍ମହତ୍ୟା କରିଛି ।