କନକ ବ୍ୟୁରୋ: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଏତଲା ରୁଜୁ ହୋଇଛି । ବଡ ମେଡିକାଲ କର୍ତ୍ତୃପକ୍ଷ ଓ କୋରାପୁଟ ଡିସିପିଓଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର । ପୀଡିତାଙ୍କୁ ଜୋର ଜବରଦସ୍ତ ଏସସିବିରେ ଅଟକ ରଖାଯାଇଥିବା ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରି ମାମଲା ରୁଜୁ କରାଯାଇଛି ।

ସୂଚନାମୁତାବକ, ପୀଡିତାଙ୍କୁ ଏସସିବିରେ ଠିକ୍ ଚିକିତ୍ସା କରାଯାଉନଥିବା ଅଭିଯୋଗ ଆଣି ଫେରାଇ ନେବାକୁ ଜିଦ ଧରିଛନ୍ତି ପରିବାର ଲୋକେ । ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି । ତାଙ୍କୁ ସରକାର, ଡାକ୍ତର ମିଳିତଭାବେ ମାରିଦେବାକୁ ବସିଛନ୍ତି । ଘରକୁ ଗଲେ ସେ ଠିକ୍ ହୋଇଯିବ ବୋଲି ପୀଡ଼ିତାଙ୍କ ମା’ ଗତକାଲି ଗଣମାଧ୍ୟମ ଆଗରେ ଚିତ୍କାର କରି କହିଥିଲେ । ତେଣୁ ତାଙ୍କୁ ତୁରନ୍ତ ଘରକୁ ନେଇଯିବାକୁ ସେ ଆସିଛନ୍ତି । ଯଦି ଝିଅକୁ ନଛାଡ଼ନ୍ତି ତାହେଲେ ଏଠାରେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତାଙ୍କ ମା’ ଧମକ ଦେଇଛନ୍ତି । ଶୁକ୍ରବାର ଏସସିବି ମେଡିକାଲରେ ପୀଡ଼ିତାଙ୍କ ମା’ଙ୍କ ସହିତ ଭାଇ, ଖୁଡ଼ୀ ମଧ୍ୟ ଆସିବା ସହ ପୀଡ଼ିତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍ ଧରି ବସିଥିଲେ ।

ତେବେ ଏସସିବି ମେଡିକାଲରୁ ସର୍ତ୍ତମୂଳକ ଭାବେ କୁନ୍ଦୁଲି ପୀଡ଼ିତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କର ମେଡିସିନ୍ କିମ୍ବା ସର୍ଜରୀରେ କୌଣସି ଚିକିତ୍ସାର ଆବଶ୍ୟକତା ନଥିବାବେଳେ ସାଇକାଟ୍ରିକ୍ ଥେରାପି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ମାନସିକ ରୋଗ ଓ୍ଵାର୍ଡକୁ ଯିବାକୁ ପୀଡ଼ିତାଙ୍କ ମା’ ଅରାଜି ହେବାରୁ ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନୀଳମାଧବ ରଥ ତାଙ୍କୁ ଓ୍ଵାର୍ଡକୁ ନେବାକୁ ମନା କରିଦେଇଥିଲେ । ତେଣୁ ଆସନ୍ତାକାଲି ମେଡିକାଲ୍ ବୋର୍ଡ ପୁଣି ଥରେ ବସିବା ପରେ ପୀଡ଼ିତାଙ୍କୁ ଡିସ୍ ଚାର୍ଜ କରାଯିବା ନେଇ ଆଲୋଚନା କରାଯିବ ବୋଲି ବୋର୍ଡ ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି ।