ସାଂଘାତିକ ରୂପ ନେଉଛି କୁନ୍ଦୁଲି କାହାଣୀ ! ପୀଡ଼ିତାଙ୍କ ମାନସିକ ଚିକିତ୍ସା ନେଇ ଚାପ ପକାଉଛି କଟକ ବଡ ଡାକ୍ତରଖାନା

43

କନକ ବ୍ୟୁରୋ : କୋରାପୁଟର କୁନ୍ଦୁଲିରେ ଯବାନଙ୍କ ଦ୍ୱାରା ବଳାକ୍ରାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଥିବା ନାବାଳିକା କଟକ ବଡ ମେଡ଼ିକାଲରେ ନଜରବନ୍ଦୀ ଅଛନ୍ତି । ନଜରବନ୍ଦୀ ବୋଲି ଆମେ ଏଇଥିପାଇଁ ଆମେ କହୁଛୁ, ଯେହେତୁ-ଝିଅକୁ ଛାଡ଼ିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ପ୍ରସ୍ତୁତ ନୁହନ୍ତି ।

ଝିଅକୁ ଘରକୁ ଫେରାଇ ନେବା ପାଇଁ ଧାରଣାରେ ବସିଛନ୍ତି ମା-ବାପା । କିନ୍ତୁ ଝିଅକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ କଟକ ବଡ ମେଡ଼ିକାଲ । ଡାକ୍ତର କହୁଛନ୍ତି-ରିସ୍କ ଅଛି । କିନ୍ତୁ ମା-ବାପା କହଛନ୍ତି-ଝିଅ ସଂପୂର୍ଣ୍ଣ ଭଲ ଅଛି ।କୁନ୍ଦୁଲି ଗଣବଳାକ୍ରାର ଅଭିଯୋଗ ଘଟଣା ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି । ଡାକ୍ତର କହୁଛନ୍ତି-ବଳାକ୍ରାର ଅଭିଯୋଗ ଆଣିଥିବା ଏହି ନାବାଳିକାଙ୍କ ମାନସିକ ସ୍ଥିତି ଠିକ ନାହିଁ । ଏହାକୁ ଠିକ ସାବ୍ୟସ୍ତ କରିବା ପାଇଁ ଡାକ୍ତର ପ୍ରଶ୍ନ ଉଠାଉଛନ୍ତି-ଯଦି ତାଙ୍କ ମାନସିକ ସ୍ଥିତି ଠିକ ଅଛି, ସେ ଏକାଥରକେ କାହିଁକି ୮ଟି ଆଇରନ୍ ବଟିକା କାହିଁକି ଖାଉଥିଲେ?

ପୀଡ଼ିତା ନାବାଳିକା ଜଣକ, କେବେ ଓ କେଉଁଠି ଏବଂ କେଉଁ ପରିସ୍ଥିତିରେ ୮ଟି ଆଇରନ୍ ବଟିକା ଖାଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି-କୋଟପାଡରେ ତାଙ୍କୁ ରଖାଯାଇଥିବା ବେଳେ ସେ, ଏତେ ସଂଖ୍ୟାରେ ଆଇରନ ବଟିକା ଖାଇଦେଇଥିଲେ । ଏସବୁ ସନ୍ଦେହ ଭିତରେ, ପ୍ରଶ୍ନ ଉଠୁଛି-ଆଇରନ୍ ବଟିକା କାହିଁକି ପୀଡ଼ିତା ଖାଇଲେ, ତା’ର କ’ଣ ତଦନ୍ତ କରୁଛି କି ବଡ ଡାକ୍ତରଖାନା ?ବାପା-ମା’ଙ୍କ ବିନା ଅନୁମତିରେ ମାନସିକ ଚିକିତ୍ସା ପାଇଁ କାହିଁକି ଆଗେଇ ଆସୁଛନ୍ତି ଡାକ୍ତର?ଯଦି ନାବାଳିକାଙ୍କ ପରିବାର ମାନସିକ ଚିକିତ୍ସା କରାଇବେ ନାହିଁ ତେବେ ଏଥିପାଇଁ ଲିଖିତ ଭାବରେ ଅଣ୍ଡରଟେକିଂ ମାଗୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ମାନସିକ ଚିକିତ୍ସା ପାଇଁ ବାଧ୍ୟ କରୁଛି କଟକ ବଡ ଡାକ୍ତରଖାନା ?

ଗତ ୨୪ ତାରିଖରେ ପ୍ରଥମଥର ପାଇଁ ଝିଅକୁ ଭେଟିବାକୁ ମା’ଙ୍କୁ ସୁଯୋଗ ଦିଆଯାଇଥିଲା । ଆଉ ନାବାଳିକା ତାଙ୍କ ମା’ଙ୍କୁ କହିଥିଲେ,ଶୀଘ୍ର ନେଇଯିବା ପାଇଁ ନହେଲେ ସେମାନେ ପାଗଳି କରିଦେବେ । ଉଭୟ ନାବାଳିକା ଏବଂ ମା’ ସନ୍ଦେହ କରୁଛନ୍ତି-ଯେ, ପାଗଳି କରିଦେବା ପାଇଁ ଷଡଯନ୍ତ୍ର କରାଯାଉଛି । ପ୍ରଶ୍ନ ଉଠୁଛି- ଏଭଳି ସନ୍ଦେହ ତାଙ୍କ ମନରେ କାହିଁକି ଆସୁଛି ? ଯେତେବେଳେ ଝିଅକୁ ଛାଡିବା ପାଇଁ ହସ୍ପିଟାଲ ପ୍ରସ୍ତୁତ ହେଉନାହିଁ । ଏବଂ ମାନସିକ ଚିକିତ୍ସା ପାଇଁ ଜିଦ କରୁଛି ସେତେବେଳେ ସେମାନଙ୍କର ଏହି ସନ୍ଦେହ ଆହୁରି ବଢୁଛି ।

ଏହି କୁନ୍ଦୁଲି ବଳାକ୍ରାର ଅଭିଯୋଗ ଘଟଣା, ମିଛ ବୋଲି ପୁଲିସର ବଡ ବଡ ଅଧିକାରୀମାନେ ଗଣମାଧ୍ୟମରେ ମନ୍ତବ୍ୟ ରଖିଲେ । ଏବଂ କହିଲେ, ମେଡ଼ିକାଲ ରିପୋର୍ଟ ଏବଂ ତଦନ୍ତର ଏହା ହିଁ ନିଷ୍କର୍ସ ବାହାରୁଛି । ଯଦି ନାବାଳିକାଙ୍କ ସହ କୌଣସି ଘଟଣା ଘଟି ନାହିଁ, ତେବେ ଦୀର୍ଘ ଦିନ ଧରି କ’ଣ ଚିକିତ୍ସା ଚାଲିଛି ଏବଂ କାହିଁକି ମାନସିକ ଚିକିତ୍ସା କରିବା ପାଇଁ ଡାକ୍ତର ବାଧ୍ୟ କରୁଛନ୍ତି ତାକୁ ନେଇ ସନ୍ଦେହଘନିଭୂତ ହେଉଛି ।