ପୁଣି ଅସୁସ୍ଥ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା । କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର

32

କନକ ବ୍ୟୁରୋ: କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର ହେଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ମେଡ଼ିକାଲରୁ କଟକ ମେଡ଼ିକାଲକୁ ପୀଡ଼ିତାଙ୍କୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ସହ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, କୋରାପୁଟ ମେଡ଼ିସିନ ବିଭାଗର ଡାକ୍ତର ଏସ.ଏସ. ସାହୁଙ୍କ ସହ ୨ଜଣ ମହିଳା ପୋଲିସ କଟକ ଯାଇଥିବା ଜଣାପଡ଼ିଛି । ଏହାସହ ପୀଡ଼ିତାଙ୍କ ପରିବାର ଲୋକ ତାଙ୍କ ଜେଜେମା’, ମା’, ଭାଇ ଓ ଖୁଡ଼ି ମଧ୍ୟ ପୀଡ଼ିତାଙ୍କ ସହ ମେଡ଼ିକାଲ ଯାଇଛନ୍ତି । ଗତକାଲି ପୀଡ଼ିତାଙ୍କର ୧୦ ଥର ରକ୍ତବାନ୍ତି ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ଗୁରୁବାର ବାନ୍ତିରେ ରକ୍ତ ପଡ଼ିବାରୁ କୁନ୍ଦୁଲି ପୀଡ଼ିତା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କିଛି ପରୀକ୍ଷା ପାଇଁ ତାଙ୍କୁ ବାହାରକୁ ପଠାଯିବାର ସମ୍ଭାବନା ରହିଛି । ଗୁରୁବାର ସନ୍ଧ୍ୟାରେ ଏହି ପୀଡ଼ିତାଙ୍କୁ କୋଟପାଡ଼ର ଏକ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସକୁ ନିଆଯାଇଥିଲା ।

ସେଠାରେ ରହି ସେ ପାଠ ପଢିବା ପାଇଁ ବ୍ୟବସ୍ଥା ହୋଇଥିଲା। ତେବେ ସେଠାରେ ପୁଣି ରାତିରେ ଛାତ୍ରୀଜଣକ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ବାନ୍ତି ହୋଇଥିଲା ଏବଂ ଏଥିରେ ରକ୍ତ ପଡ଼ିଥିଲା । ଏହା ସହ ତଳି ପେଟରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଚିକତ୍ସା ପାଇଁ କୋଟପାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରାପୁଟ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି ।