କୁମ୍ଭମେଳା ପାଇଁ ୮୦୦ ସ୍ୱତନ୍ତ୍ର ଟ୍ରେନ ! ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇର ପଦକ୍ଷେପ

78

କନକ ବ୍ୟୁରୋ : କୁମ୍ଭମେଳା ସମୟରେ ଅଗଣିତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆହ୍ଲାବାଦ ଓ ପ୍ରୟାଗକୁ ଯାତାୟାତ ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ଗୁଡ଼ିକ ପରି ଏଥର ମଧ୍ୟ ରେଳବାଇ ପକ୍ଷରୁ ଅତିରିକ୍ତ ଟ୍ରେନ ବ୍ୟବସ୍ଥା, ବୁକିଂ କାଉଣ୍ଟର୍‌, ଯାତ୍ରା ସମୟରେ ରହଣି, ସ୍ୱଚ୍ଛତା, ପାନୀୟଜଳ, ଯାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଫାଷ୍ଟଏଡ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମେଳା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ୪୧ଟି ପ୍ରମୁଖ ସ୍ଥାୟୀ ଭିତ୍ତିଭୂମି ବ୍ୟବସ୍ଥା ନିର୍ମାଣ ହୋଇଛି । ୧୦ ହଜାର ଲୋକଙ୍କ ଆଶ୍ରୟ ପାଇଁ ୪ଟି ବଡ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଥିବାବେଳେ ସେଥିରେ ଦୋକାନ ଘର, ପାଣି ବୁଥ, ଟିକେଟ କାଉଣ୍ଟର୍‌, ଏଲ୍‌ସିଡି ଟିଭି ସହିତ ପୁରୁଷ, ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ନୂତନ ପ୍ଲାଟଫର୍ମ, ପାଦଚଲା ପୋଲ, ସୁବେଦାରଗଞ୍ଜକୁ ଟର୍ମିନାଲ ଷ୍ଟେସନ୍‌ରେ ପରିଣତ କରିବା, ପ୍ଲାଟଫର୍ମ ସେଡ୍‌, ପ୍ରୟାଗଘାଟ ଷ୍ଟେସନ୍‌କୁ କୋଚିଂ ଟର୍ମିନାଲ କରାଯାଇ ୫ ଟି ପ୍ଲାଟଫର୍ମ, ୨ ଟି ସଫାଇ ଲାଇନ, ନୂତନ ଷ୍ଟେସନ୍‌ଗୃହ, ପ୍ଲାଟଫର୍ମ ସେଡ୍‌, ୪ଟି ଆର୍‌ଓବି ଓ ରାସ୍ତା ସହିତ ଡ୍ରେନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।

ଆହ୍ଲାବାଦ ଓ ପ୍ରୟାଗଠାରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପ୍ରାୟ ୮୦୦ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରୀୟ ରେଳପଥରୁ ୬ଟି ଟୁରିଷ୍ଟ ସ୍ୱତନ୍ତ୍ର ଟ୍ରେନ୍‌ ସହ ପ୍ରବାସୀ ଭାରତୀୟ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୧୧ଟି ଷ୍ଟେସନ୍‌ଠାରେ ୧୫ ଦିନ ଆଗରୁ ଅଗ୍ରୀମ ଅଣସଂରକ୍ଷିତ ଟିକେଟ ବିକ୍ରୟ ବ୍ୟବସ୍ଥା ହୋଇଛି । ମୋବାଇଲ ଆପ୍‌ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ଅଣସଂରକ୍ଷିତ ଟିକେଟ ବୁକ କରିପାରିବେ ।
‘ରେଳ କୁମ୍ଭ ସେବା ମୋବାଇଲ ଆପ’ ମାଧ୍ୟମରେ ସାଧାରଣ ଓ ତୀର୍ଥଯାତ୍ରୀମାନେ ରେଳବାଇ ସମ୍ବନ୍ଧରେ ସବିଶେଷ ଅନୁସନ୍ଧାନ ଯଥା ଯାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ହୋଟେଲ, ବାସ ଷ୍ଟାଣ୍ଡ, ପାର୍କିଙ୍ଗ ସ୍ଥାନ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଯାତ୍ରୀ ବିଶ୍ରାମ ସ୍ଥାନ, ଫୁଡ୍‌ ପ୍ଲାଜା, ଏଟିଏମ୍‌, ରେଳବାଇ ଅନୁସନ୍ଧାନ ବିଷୟରେ ଜାଣିପାରିବେ । ଏହାବ୍ୟତୀତ ଅତିରିକ୍ତ ଟିକେଟ୍‌ ବିକ୍ରୟ କେନ୍ଦ୍ର, ନିରାପତ୍ତା ବ୍ୟବସ୍ଥା ଓ ସିସିଟିଭି ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।