ଭକ୍ତଙ୍କୁ କୁମ୍ଭମେଳାରେ ଆକର୍ଷିତ କରୁଛନ୍ତି ବିଭିନ୍ନ ହାଇଟେକ୍ ବାବା ! ବର୍ଷ ବର୍ଷ ଧରି କିଏ ଗୋଟିଏ ଗୋଡରେ ଠିଆ ହୋଇଛନ୍ତି ତ ଆଉ କେହି ଟାବଲେଟ୍ ବ୍ୟବହାର କରି ସୋସିଆଲ୍ ମିଡିଆରେ ଦେଉଛନ୍ତି ଅପଡେଟ୍ ।

148

୧୫ ଜାନୁଆରୀ ୨୦୧୯ ରେ ସାରାଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ପ୍ରୟାଗରାଜରେ ଆସ୍ଥାର ମହାପର୍ବ “କୁମ୍ଭମେଳା-୨୦୧୯” ମଧ୍ୟ ଆରମ୍ଭ ହୋଇଯାଇଥିଲା । ସଂଗମ ନଗରୀରେ ବାବାମାନଙ୍କ ଭିନ୍ନ ଭିନ୍ନ ରୁପ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେଉଁ ବାବାଙ୍କ ହଠ ଯୋଗ ତଥା ସଂକଳ୍ପ ଲୋକଙ୍କୁ ଆଚମ୍ବିତ କରିଛି ତ ଆଉ କୌଣସି ବାବା ହଜାରେ ଋଦ୍ରାକ୍ଷମାଳା ଧାରଣ କରି ଲୋକଙ୍କ ଧ୍ୟାନ ନିଜ ଉପରକୁ କେନ୍ଦ୍ରିତ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଆଜି ଏଭଳି କିଛି ବାବାଙ୍କ ଉପରେ ।

ପେଟ୍ରୋଲ୍ ନେଉଥିବା ବାବା : ପ୍ରୟାଗରାଜ କୁମ୍ଭମେଳାକୁ ଗୁଜୁରାଟରୁ ଆସିଥିବା ବାବା ସାବନ ଗିରି ନିଜ ଏସୟୁବି କାର୍ ରେ ବସି ଭକ୍ତଙ୍କ ଠାରୁ ଦକ୍ଷିଣା ରୁପରେ ପେଟ୍ରୋଲ୍ ମାଗିଥାନ୍ତି ।

ହାଇଟେକ୍ ବାବା : ଶ୍ରୀ ମୀତାବାବା ଉଦାସୀନ ଆଶ୍ରମର ପିଠଧିଶ୍ୱର ବଜରଙ୍ଗମୂନି ଉଦାସୀନ ବ୍ଲୁଟୁଥ୍ ସାହାର୍ଯ୍ୟରେ କଥାବାର୍ତ୍ତା କରିଥାନ୍ତି । ଏତଦ୍ ବ୍ୟତୀତ କୁମ୍ଭମେଳାରେ କ୍ୟାସଲେସ୍ ନେଣଦେଣ ମଧ୍ୟ କରିଥାନ୍ତି । ଟାବଲେଟ୍ ରେ ସୋସିଆଲ୍ ମିଡିଆ ସହ ସକ୍ରିୟ ରହିଥାନ୍ତି ।

୯ ବର୍ଷ ହେଲା ଗୋଟିଏ ଗୋଡରେ ଠିଆ ହୋଇଥିବା ବାବା : ରାଜସ୍ଥାନର ଦିଗମ୍ବର ହରିବଂଶ ଗିରି ୧୨ ବର୍ଷ ଅନବରତ ଗୋଟିଏ ଗୋଡରେ ଠିଆ ହୋି ତପସ୍ୟା କରିବା ପାଇଁ ପ୍ରଣ କରିଛନ୍ତି । ଖାଦ୍ୟ ବି ସେ ଠିଆ ହୋଇ ହିଁ ଗ୍ରହଣ କରିଥାନ୍ତି । ଏହାଛଡା ଶୌଚ ଏବଂ ଗାଧୋଇବା ପାଇଁ ବି ସେ ଗୋଟିଏ ଗୋଡରେ ଚାଲି ଯାଇଥାନ୍ତିି । ତାଙ୍କ କହିବାନୁସାରେ ୯ ବର୍ଷ ହେଲା ସେ ଏଭଳି ଭାବେ ଗୋଟିଏ ଗୋଡରେ ଠିଆ ହୋଇ ସବୁ କାମ କରୁଛନ୍ତି ।

ହାତ ଉପରକୁ ଟେକିଥିବା ବାବା : କୁମ୍ଭନଗରୀ ପ୍ରୟାଗରାଜରେ ଏଭଳି ଜଣେ ବାବା ଅଛନ୍ତି ଯାହାଙ୍କ ସଂକଳ୍ପ ହାତ ଉଠାଇଲେ ହିଁ ପୂରଣ ହେବ । ଗତ ୯ ବର୍ଷ ଧରି ସେ ଏଭଳି ହାତ ଉପରକୁ ଉଠାଇ ରହିଛନ୍ତି । ସେ ଜୁନା ଆଖଡାର ରାଧେବାବା ଅଟନ୍ତି । ସେ ଅଯୋଧ୍ୟାରେ ରାମ ମନ୍ଦିର ହେବା ପରେ ହିଁ ହାତକୁ ତଳେ ପକାଇବେ ବୋଲି ସଂକଳ୍ପ କରିଛନ୍ତି ।

ଋଦ୍ରାକ୍ଷ ବାବା : ମୋନୀ ମହାରାଜ ୧୧ ହଜାର ଋଦ୍ରାକ୍ଷ ମାଳା ପିନ୍ଧି ଯେତେବେଳେ ବାହାରକୁ ବାହାରନ୍ତି ତାଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ସେ ଅମେଠି ପରମହଂସ ଆଶ୍ରମର ମହନ୍ତ ଅଟନ୍ତି । ମୁଣ୍ଡରୁ ଗୋଡ ଯାଏଁ ୫୦୦ ଟି ଋଦ୍ରାକ୍ଷ ମାଳା ପିନ୍ଧି ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ଗୋଲଡେନ୍ ବାବା : ସୁନାରେ ଲଦି ହୋଇଥିବା ଗୋଲଡେନ୍ ବାବା ଜୁନା ଆଖଡା ସହ ଜଡିତ ଅଛନ୍ତି । ୨୦ କିଲୋ ସୁନା ଅଳଙ୍କାର ପିନ୍ଧି ସେ କୁମ୍ଭମେଳାକୁ ଆସିଥାନ୍ତି । ଶ୍ରାବଣ ମାସରେ ସେ କାଉଡିଆବାଲାଙ୍କ ସହ ମିଶି ଯାତ୍ରା କରିଥାନ୍ତି । ଏହାଛଡା ଜଟାଧାରୀ ବାବା , ଟୋପିପିନ୍ଧା ବାବା ମଧ୍ୟ କୁମ୍ଭମେଳାର ବିଶେଷ ଆକର୍ଷଣ ହୋଇଥାନ୍ତି ।