ଏବେ କୁମାରସ୍ୱାମୀଙ୍କ ପାଳି ! କର୍ଣ୍ଣାଟକରେ ସରକାର ଗଢିବାକୁ କୁମାରସ୍ୱାମୀଙ୍କୁ ଆମନ୍ତ୍ରିତ କଲେ ରାଜ୍ୟପାଳ, ସୋମବାର ନେବେ ଶପଥ

22

କର୍ଣ୍ଣାଟକରେ ପଦ୍ମ ଫୁଲ କଢି ଧରିଥିବା ବେଳେ ଏହାକୁ ଫୁଟିବା ପାଇଁ ଦେଇ ନାହାଁନ୍ତି ଉଭୟ କଂଗ୍ରେସ ଓ ଜେଡିଏସ । ୧୦୪ ଆସନରେ ବିଜେପି ସରକାରର ଅଢ଼େଇଦିନିଆ ମୁଖ୍ୟମନ୍ତ୍ରୀ ହୋଇଥିବା ବି.ଏସ ୟେଦିୟୁରପ୍ପା ଶେଷରେ ବହୁମତ ସାବ୍ୟସ୍ତ ପୂର୍ବରୁ ଇସ୍ତଫା ଦେଇଛନ୍ତି । ଦେଶର ୨୧ ରାଜ୍ୟରେ ସରକାର ଗଢ଼ିବାରେ ସମର୍ଥ ହୋଇଥିବା ବିଜେପିର ବିଜୟ ରାସ୍ତାରେ ବ୍ରେକ ଲଗାଇଛନ୍ତି କଂଗ୍ରେସ ଓ ଜେଡିଏସର ମିଳିତ ମେଣ୍ଟ ।

ଆସନ୍ତା ସୋମବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ.ଡି କୁମାରସ୍ୱାମୀ । କଂଗ୍ରେସ-ଜେଡିଏସ ଗଠବନ୍ଧନରେ କର୍ଣ୍ଣାଟକରେ ସରକାର ଗଢ଼ିବେ କୁମାରସ୍ୱାମୀ । ଏଥିପାଇଁ କୁମାରସ୍ୱାମୀ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା କଂଗ୍ରେସ-ଜେଡିଏସ ସମର୍ଥିତ ପ୍ରାର୍ଥୀ କୁମାରସ୍ୱୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ସେହିଭଳି ମେଣ୍ଟ କରିଥିବା କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

୨୧ଟି ରାଜ୍ୟରେ ବିଜୟରଧାରା ବଜାୟ ରଖିଥିବା ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଛନ୍ତି ଉଭୟ କଂଗ୍ରେସ-ଜେଡିଏସ । ତେଣୁ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୁଦ୍ଧରେ ଶକ୍ତି ପ୍ରଦର୍ଶନ ପାଇଁ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆଞ୍ଚଳିକ ଦଳକୁ ଆମନ୍ତ୍ରିତ କରିଛି କଂଗ୍ରେସ । ଏହି ପ୍ରମୂଖ ଦଳ ମାନଙ୍କ ମଧ୍ୟରୁ ବିଏସପି ପ୍ରମୂଖ ମାୟାବତୀ, ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସପା ନେତା ଅଖିଳେଶ ଯାଦବ, ଏନସିପି ପ୍ରମୂଖ ଶରଦ ପାୱାର, ଟିଆରଏମ ପ୍ରମୂଖ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଡିଏମକେ ନେତାଙ୍କ ସହିତ ଆରଜେଡି ନେତା ପ୍ରମୂଖ ଯୋଗଦେବା ପାଇଁ ଆମନ୍ତ୍ରିତ କରିଛନ୍ତି କଂଗ୍ରେସ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ କଂଗ୍ରେସକୁ ନ ମିଳିଲେ ମଧ୍ୟ କର୍ଣ୍ଣାଟକରେ ବିଜେପି ବିରୁଧରେ ହୋଇଥିବା ରାଜନୈତିକ ପଶାପାଲି ଖେଳରେ ବାଜିମାତ୍ କରିଛି କଂଗ୍ରେସ । ଏହାସହ ଆଗାମୀ ୨୦୧୯ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବାରେ କଂଗ୍ରେସ ସବୁକିଛି ତ୍ୟାଗ କରିବାର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମିଲ ହେବା ନେଇ ସୂଚନା ମିଳିଛି ।