ଆସ୍ଥା ଭୋଟ ଜିତିଲେ କୁମାରସ୍ୱାମୀ ! କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ, ସପକ୍ଷରେ ୧୧୭ ବିଧାୟକଙ୍କ ଭୋଟ

41

କନକ ବ୍ୟୁରୋ : ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ୱାମୀ । କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ କଂଗ୍ରେସ–ଜେଡିଏମ ସରକାର । କୁମାରସ୍ୱାମୀଙ୍କ ସପକ୍ଷରେ ୧୧୭ ବିଧାୟକ ସମର୍ଥନ କରିଛନ୍ତି । ଆସ୍ଥାଭୋଟ ପୂର୍ବରୁ ବିଜେପି ବିଧାୟକ କକ୍ଷ ତ୍ୟାଗ କରିଥିଲେ । କଂଗ୍ରେସ-ଜେଡିୟୁ ମେଂଟର ନେତା କୁମାରସ୍ୱାମୀ ବୁଧବାର କର୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶ ଉଠିବା ପଡିବା ପରେ, ଶେଷରେ ୟେଦ୍ୟୁରପ୍ପା ବିଧାନସଭାରେ ଫ୍ଲୋର ଟେଷ୍ଟ ପୂବ’ରୁ ସଂଖ୍ୟାଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ଆଉ ଗତ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କୁମାରସ୍ୱାମୀ । ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜେଡିଏସ ଓ କୁମାରସ୍ୱାମୀ କିଙ୍ଗମେକରରୁ କିଙ୍ଗ ପାଲଟିଥିଲେ । ଆଉ କଂଗ୍ରେସର ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ସଚନାଯୋଗ୍ୟ ଜେଡିଏସ-କଂଗ୍ରେସ ମିଳିତ ସରକାର ସପକ୍ଷରେ ୧୧୭ଟି ଭୋଟ ପଡିଛି । ଏହା ପୂର୍ବରୁ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ସହ ସଦନରୁ ଓ୍ଵାକଆଉଟ୍ କରିଥିଲେ । ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ରମେଶ କୁମାର ବାଚସ୍ପତି ନିର୍ବାଚିତ ହୋଇଥିଲେ । ଆଜି ସଦନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ ଜେଡିଏସ ଓ କଂଗ୍ରେସ ପକ୍ଷରୁ ନିଜ ନିର୍ବାଚନୀ ଇସ୍ତାହାରରେ ଲୋକମାନଙ୍କୁ ଦିଆଯାଇଥିବା ସବୁ ପ୍ରତିଶୃତି ପୂରଣ କରାଯିବ । ଗତ ମେ ୧୨ରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା । ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ଥିବାବେଳେ କଂଗ୍ରେସର ୭୮ ଓ ଜେଡିଏସର ୩୭ ସଦସ୍ୟ ଅଛନ୍ତି । ରାଜ୍ୟପାଳ ପ୍ରଥମେ ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ ମଧ୍ୟ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିନଥିଲା ।