୧୪ ମାସିଆ ମେଣ୍ଟ ସରକାରକୁ ମହାଝଟକା । କର୍ଣ୍ଣାଟକରେ ଭାଙ୍ଗିଲା କୁମାରସ୍ୱାମୀ ସରକାର, ସପକ୍ଷରେ ପଡିଲା ମାତ୍ର ୯୯, ବିପକ୍ଷରେ ୧୦୫ ।

364

କନକ ବ୍ୟୁରୋ: ମେଣ୍ଟ ସରକାରକୁ ମହାଝଟକା । ଦୀର୍ଘଦିନର ନାଟକରେ ପଡିଲା ଯବନିକା । ଭାଙ୍ଗିଲା କୁମାରସ୍ୱାମୀଙ୍କ ସରକାର । ଦୀର୍ଘ ୧୫ ଦିନ ହେବ କର୍ଣ୍ଣାଟକରେ ଚାଲିଥିବା ନାଟକରେ ଆଜି ପଡିଛି ଯବନିକା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୫ ବିଧାୟକ ଇସ୍ତଫା ଦେବା ପରେ ଆସ୍ଥା ଭୋଟରେ ହାରିବା ସହ ଭାଙ୍ଗିଛି ମେଣ୍ଟ ସରକାର । ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ପଡିଛି ୧୦୫ ଭୋଟ । ବିଏସପି ବିଧାୟକ ଆସ୍ଥା ଭୋଟରେ ଭାଗ ନେଇ ନଥିବା ବେଳେ ବିଦ୍ରୋହୀ ବିଧାୟକ ମଧ୍ୟ ଆସ୍ଥା ଭୋଟରୁ ନିଜକୁ ଦୂରେଇ ରଖିଥିଲେ । ବାଚସ୍ପତି ମେଣ୍ଟ ସରକାର ସପକ୍ଷରେ ଭୋଟ ଦେଇଥିବା ସତ୍ତେ୍ୱ ମଧ୍ୟ ଆସ୍ଥା ଭୋଟରେ ପରାଜିତ ହୋଇଥିଲେ କୁମାରସ୍ୱାମୀ । ଆଉ ଏହାସହ ୧୪ ମାସର ସ୍ୱାମୀ ସରକାରରେ ଯବନିକା ପଡିଛି ।

ଏହାପୂର୍ବରୁ ମେଣ୍ଟ ସରକାରର ୧୫ ବିଧାୟକ ବିଦ୍ରୋହ କରିବା ସହ ଦଳ ଛାଡିଥିଲେ । ଆଉ ଏହାପରେ ଆସ୍ଥା ଭୋଟ ପାଇଁ ଦାବି କରିଥିଲା ବିଜେପି । ଆସ୍ଥା ପରୀକ୍ଷା ପାଇଁ ଗୃହରେ ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲା ବେଳେ ସୋମବାର ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାଲି କିଛି ହୋଇପାରିନଥିଲା । ଆଜି ବାଗୀ ବିଧାୟକ ମାନେ ବିଧାନସଭା ଆସିବା ପରେ ଗୃହରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜର ଭାଷଣ ରଖିଥିଲେ ।

ତେବେ ନିଜ ଭାଷଣରେ କୁମାରସ୍ୱାମୀ ପଦ ଛାଡିବାର ଇସାରା ଦେଇଥିଲେ । ଦରକାର ପଡିଲେ ମୁଁ ଖୁସିରେ ପଦ ଛାଡିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ । ମୁଁ ସିନେମା ଜଗତ ଲୋକ, ରାଜନୀତିକୁ ଆସିବା ମୋ ଭୁଲ ହୋଇଗଲା । ଆସ୍ଥା ଭୋଟ ଟାଣିବା ମୋର ଉଦ୍ଦେଶ୍ୟ ନୁହେଁ । କର୍ଣ୍ଣାଟକ ଜନସାଧାରଣଙ୍କୁ ମୁଁ କ୍ଷମା ମାଗୁଛି । ମୁଁ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଉଛି ବୋଲି ବିଧାନସଭାରେ ଏଭଳି ଅଭିଭାଷଣ ଦେଇଛନ୍ତି କୁମାରସ୍ୱାମୀ । ତେବେ କୁମାରସ୍ୱାମୀ ସରକାର ଭାଙ୍ଗିବା ପରେ ବିଜେପି ପାଇଁ ସରକାର ଗଢିବା ନେଇ ବାଟ ଫିଟିଛି ।