କର୍ଣ୍ଣାଟକରେ ଶପଥ ପୂର୍ବରୁ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ନେଇ ଦିଲ୍ଲୀରେ ବୈଠକ! ଆଜି ରାହୁଲ ଓ ସୋନିଆଙ୍କୁ ଭେଟିବେ କୁମାରସ୍ୱାମୀ, କିଏ ହେବେ ଉପମୁଖ୍ୟମନ୍ତ୍ରୀ, ତା ଉପରେ ରହିବ ନଜର

23

କନକ ବ୍ୟୁରୋ : ବୁଧବାର କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଆଗରୁ ଆଜି ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ରୂପରେଖ ନେଇ ସେ ଆଲୋଚନା କରିବେ । କର୍ଣ୍ଣାଟକରେ ଅଢେଇ ଦିନର ବିଜେପି ସରକାରର ପତନ ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଏଚଡି କୁମାରସ୍ୱାମୀ । ଶପଥ ନେବାର ୨୪ ଘଂଟା ମଧ୍ୟରେ ସେ ସଂଖ୍ୟା ଗରିଷ୍ଠତାର ପ୍ରାମାଣ ଦେବେ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ ।

ନୂଆ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ ଏବଂ କାହାକୁ କେଉଁ ମନ୍ତ୍ରାଳୟ ଦିଆଯିବ ସେନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ କୁମାରସ୍ୱାମୀ । ଜେଡିଏସକୁ ନିଃସର୍ତ ସମର୍ଥନ କରିଥିବା କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ । ଉପମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ଅଛନ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଜି. ପରମେଶ୍ୱର । ହେଲେ କୁମାରସ୍ୱାମୀ ଉତର କର୍ଣ୍ଣାଟକରୁ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ଦକ୍ଷିଣ କର୍ଣ୍ଣାଟକରୁ ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ଦାବି ହେଉଛି । ସେହିପରି କୁମାରସ୍ୱାମୀ ଭୋକାଲିଗା ସଂପ୍ରଦାୟର ହୋଇଥିବାରୁ ଲିଙ୍ଗାୟତ ସଂପ୍ରଦାୟର ଜଣେ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ଦାବି ଜୋର ଧରିଛି ।

ସର୍ବଭାରତୀୟ ବୀରଶିବ ମହାସଭାର ଅଧ୍ୟକ୍ଷ ଥିବା ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବ ଶଙ୍କରପ୍ପାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଛି । କଂଗ୍ରେସର ୧୬ ଏବଂ ଜେଡିଏସର ୪ଜଣ ଲିଙ୍ଗାୟତ ନେତା ନିର୍ବାଚନ ଜିତିଥିବାବେଳେ ଲିଙ୍ଗାୟତ ନେତାଙ୍କୁ ଅଧିକରୁ ଅଧିକ କ୍ୟାବିନେଟ ପାହ୍ୟା ଦେବାପାଇଁ ମଧ୍ୟ ଦାବି ହେଉଛି । କର୍ଣ୍ଣାଟକ ରାଜନୀତିରେ ଜାତିବାଦ ଅଧିକ ଗୁରୁତ୍ୱ ରଖିଆସିଛି । ତେଣୁ ଏହାକୁ ବିଚାରକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ କୁମାରସ୍ୱାମୀ । ଦୁଇଟି ଆସନରେ ଭୋଟ ପଡିନଥିବା ରାଜନଗର ଓ ଆରଆର ନଗରରେ ବିଜେପିକୁ ରୋକିବା ଲାଗି କଂଗ୍ରେସ ଓ ଜେଡିଏସ ମିଳିତ ପ୍ରାର୍ଥୀ ଦେବା ଲାଗି ମଧ୍ୟ ଆଜିର ବୈଠକରେ ଚର୍ଚ୍ଚା ହୋଇପାରେ ।