ଗର୍ଭବତୀଙ୍କୁ କାନ୍ଧରେ ବୋହି ୧୮ କି.ମି. ଚାଲିଲେ ଗାଁର ମହିଳା : ପହଁଚାଇଲେ ଡାକ୍ତରଖାନା

115

ଦେଶରେ ବିକାଶର ଚର୍ଚ୍ଚା ହେଉଥିବା ବେଳେ ହିମାଚଳ ପ୍ରଦେଶରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । କୁଲ୍ଲୁରେ ହସ୍ପିଟାଲ ଓ ସଡକ ନଥିବା କାରଣରୁ ଗାଁର ମହିଳାମାନେ ଗର୍ଭବତି ନାରୀକୁ ବାଉଁସ ଚେୟାରରେ ବସାଇ ୧୮ କିଲୋମିଟର ପାଦରେ ଚାଲି ହସ୍ପିଟାଲରେ ପହଞ୍ଚାଇଥିଲେ।

 

ସୂଚନା ମୁତାବକ, ଗୁରୁବାର ୨୭ ବର୍ଷୀୟା ସୁନୀତା ଦେବୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସୁନୀତାଙ୍କ ସ୍ୱାମୀ ଓ ପରିଜନ ଚିନ୍ତିତ ହୋଇଯାଇଥିଲେ କିପରି ତାଙ୍କୁ ହସ୍ପିଟାଲରେ ପହଞ୍ଚା ଯାଇପାରିବ । ପରିବାର ଲୋକେ ଏଥିପାଇଁ ଗାଁ ଲୋକଙ୍କର ସାହାଯ୍ୟ ନେଇ ବାଉଁସ ଚୌକିରେ ମହିଳାଙ୍କୁ ବସାଇ ଏକ ଘଣ୍ଟା ମଧ୍ୟରେ ୧୮ କିମି ରାସ୍ତା ଅତିକ୍ରାନ୍ତ କରି ତାଙ୍କୁ ନୀହାନୀରେ ପହଁଚାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଗାଁ ଲୋକଙ୍କ ମଧ୍ୟରେ ଅଧିକ ମହିଳା ସାମିଲ୍ ଥିଲେ ଏବଂ ସେମାନେ ଗର୍ଭବତୀଙ୍କୁ ଅଧାରାସ୍ତା କାନ୍ଧରେ ବୋହିଥିଲେ । ସେଠାରୁ ଗାଡି ମାଧ୍ୟମରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।

ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ହେଉଥିବା ଜଣାପଡିଛି । କିଛିଦିନ ତଳେ ସେହି ସ୍ଥାନରେ ଜଣେ ଅଙ୍ଗନୱାଡି କର୍ମଚାରୀ ଛୁଆଙ୍କୁ ପୋଲିଓ ଦେବାକୁ ଯାଉଥିବା ବେଳେ ବରଫ ରାସ୍ତାରେ ଖାଇରୁ ଖସି ଜୀବନ ହରାଇଥିବାର ଖବର ଆସିଥିଲା । ଏହିଭଳି ଯିବା ଆସିବାର ସୁବିଧା ନଥିବା ହେତୁ ବାରମ୍ବାର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।