କଣ ପାକିସ୍ତାନ ଜେଲରୁ ମୁକୁଳିବେ କୂଳଭୂଷଣ ଯାଦବ? ଆଜି ଆନ୍ତର୍ଜାତୀୟ ନ୍ୟାୟାଳୟ ଶୁଣାଇବେ ରାୟ

ଗୁପ୍ତଚର ଅଭିଯୋଗରେ ୨୦୧୭ ଏପ୍ରିଲ ମାସରୁ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି କୁଳଭୂଷଣ

124

କନକ ବ୍ୟୁରୋ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ଆଜି ରାୟ ଶୁଣାଇବେ ଆନ୍ତର୍ଜାତୀକ ନ୍ୟାୟାଳୟ । ନେଦରଲ୍ୟାଣ୍ଡ ହଗ୍ ସ୍ଥିତ ପିସ୍ ପ୍ୟାଲେସ୍ ଏହି ରାୟ ଶୁଣାଇବେ କୋର୍ଟର ସଭାପତି ବିଚାରପତି ଅବଦୁଲକ୍ୱାଇ ଅହମ୍ମଦ ୟୁସୁଫ୍ । ଭାରତୀୟ ସମୟ ୩ଟାରେ ଆସିବ ଏହି ରାୟ । ଫେବ୍ରୁଆରୀ ୨୧ରେ ଅବଦୁଲକ୍ୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସଦସ୍ୟ ବିଶିଷ୍ଟ ବେଂଚ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ।

ଦୀର୍ଘ ପାଂଚ ମାସ ପରେ ଆଜି ଆସିବ ରାୟ । କୁଳଭୂଷଣ ପାକିସ୍ତାନରେ ଭାରତ ପାଇଁ ଗୁପ୍ତଚରଗିରି କରିବା ସହ ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଦର୍ଶାଇ ଗିରଫ କରିଛି ଏବଂ ସାମରିକ କୋର୍ଟରେ ମାମଲାର ବିଚାର କରି କୁଳଭୂଷଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ସାମରିକ କୋର୍ଟର ଏହି ରାୟ ଓ ଭିଏନା ଚୁକ୍ତିକୁ ପାକିସ୍ତାନ ଉଲଘଂନ କରୁଛି ଦର୍ଶାଇ ୨୦୧୭ ମେ’ ୮ରେ ଆନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଭାରତ ସରକାର । ଭାରତର ଆବେଦନ ଉପରେ ଶୁଣାଣି କରି ସେହି ମାସ ୧୮ରେ ପାକିସ୍ତାନ ସାମରିକ କୋର୍ଟର ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଆଇସିଜେ । ତାପରେ ଉଭୟ ଦେଶ ନିଜ ନିଜର ପକ୍ଷ ରଖିଥିଲେ ।

source: google.co.in

କୁଳଭୂଷଣ ଜଣେ ଭାରତୀୟ ନୌସେନା ଅଧିକାରୀ ଏବଂ ସେ ଚାକିରିରୁ ଅବସର ନେବା ପରେ ଇରାନରେ ବ୍ୟବସାୟ କରୁଥିଲେ ଓ ସେଠାରୁ ପାକିସ୍ତାନ ସେନା ତାଙ୍କୁ ଗିରଫ କରିଛି ବୋଲି କହି ଆସୁଛି ଭାରତ । ଅନ୍ୟପଟେ କୁଳଭୂଷଣ ଭାରତ ପାଇଁ ଗୁପ୍ତଚରଗିରି କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଓ ତାଙ୍କୁ ପାକିସ୍ତାନ ଅଧିକୃତ ବେଲୁଚିସ୍ତାନରୁ ଗିରଫ କରାଯାଇଛି ବୋଲି ଇସଲାମାବାଦ ଦାବି କରି ଆସୁଛି ।