ଆଜି କୁଳଭୂଷଣ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ ! ପାକିସ୍ତାନର ଫାଶୀ ଦଣ୍ଡାଦେଶ ଉପରେ ଆସିବ ଆଇସିଜେ ରାୟ

29

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଇଂଟରନେସନାଲ କୋର୍ଟ ଅଫ ଜଷ୍ଟିସ, ପାକିସ୍ତାନ ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଉପରେ ରାୟ ଶୁଣାଇବେ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ଆଇସିଜେଙ୍କ ୧୧ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ । ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ରାୟ ଆସିବାର ସୂଚନା ରହିଛି ।

କୁଳଭୂଷଣ ଯାଦବଙ୍କୁ ଫାଶି ଦଣ୍ଡାଦେଶ ବିରୋଧରେ ଭାରତ କରିଥିବା ଆବେଦନ ଉପରେ ଆଜି ରାୟ ଶୁଣାଇବେ ଆଇସିଜେ । ସୋମବାର ଭାରତ ଓ ପାକିସ୍ତାନ କୋର୍ଟରେ ନିଜନିଜ ପକ୍ଷ ରଖିଥିଲେ । ଅନ୍ତର୍ଜାତୀୟ ନ୍ୟାୟାଳୟରେ ଯାଦବ ମାମଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୋରଦାର ବିତର୍କ ହୋଇଥିଲା । କୋର୍ଟ ଉଭୟ ରାଷ୍ଟ୍ରର ପକ୍ଷ ଶୁଣି ରାୟ ସଂରକ୍ଷିତ ରଖିଥିଲେ ।

କୁଳଭୂଷଣ ଯାଧବଙ୍କ ଫାଶି ଦଣ୍ଡାଦେଶ ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯାଇଥିଲା । ଯାଦବଙ୍କୁ ଆଇନ ସହାୟତା ନଦେଇ ପାକିସ୍ତାନ ମିଲିଟାରୀ କୋର୍ଟ ଏକତରଫା ବିଚାର କରି ଦଣ୍ଡାଦେଶ ଦେଇଛି ବୋଲି ଭାରତ ଅଭିଯୋଗ କରିଛି । ଅନ୍ୟପଟେ ଆଇସିଜେରେ ପକ୍ଷ ରଖି ପାକିସ୍ତାନ କୁଳଭୂଷଣକୁ ଭାରତୀୟ ଗୁଇନ୍ଦା ଅଧିକାରୀ ବୋଲି କହିଥିଲା । ତେବେ ଯାଦବଙ୍କ ସ୍ୱୀକାରୋକ୍ତି ଭିଡିଓ ଉପସ୍ଥାପିତ ପ୍ରସ୍ତାବକୁ ଆଇସିଜେ ଖାରଜ କରିଦେଇଥିଲେ ।