ଡରିଲା ଇସଲାମାବାଦ ! ସେନା ମୁଖ୍ୟଙ୍କୁ ଭେଟି କୁଳଭୂଷଣଙ୍କ ବିଷୟରେ ଆଲୋଚନା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

35

କନକ ବ୍ୟୁରୋ : ନୂଆଦିଲ୍ଲୀର କଡା ଆଭିମୁଖ୍ୟ ପରେ ଡରିଲା ଇସଲାମାବାଦ । ସେନା ମୁଖ୍ୟଙ୍କୁ ଭେଟି କୁଳଭୂଷଣଙ୍କ ବାବଦରେ ଆଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ସେନା କୋର୍ଟର ଫାଶି ଦଣ୍ଡାଦେଶ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ଏହାର ପ୍ରଭାବ ପାକିସ୍ତାନ ଉପରେ ବି ପଡିଛି । ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ସେନାମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନୱାଜ ସରିଫ ।

ପାକ୍ ସେନାମୁଖ୍ୟ ଜେନରାଲ କମର ଜାଭେଦ୍ ବାଜୱାଙ୍କ ସହ କୁଲଭୂଷଣଙ୍କ ମାମଲା ନେଇ ଆଲୋଚନା କରିଛନ୍ତି ସରିଫ । ତେବେ ଭାରତର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ ବୋଲି ଉଭୟଙ୍କ ମଧ୍ୟରେ କଥାବାର୍ତା ହୋଇଥିବା ଏକ ସୂତ୍ରରୁ ଜଣାପଡିଛି । ତେବେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏପଟେ କୁଳଭୂଷଣ ଯାଦବଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅଂଟା ଭିଡିଛନ୍ତି । ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ସରକାର ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । କୁଳଭୂଷଣଙ୍କ ମୁକ୍ତି ଦାବିରେ ପୂର୍ବତନ ସେନା କର୍ମଚାରୀମାନେ ଦିଲ୍ଲୀସ୍ଥିତ ପାକ୍ ହାଇକମିସନରଙ୍କ କାର୍ଯ୍ୟାଳୟ ବାହାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।