ଶିଶୁ ଶ୍ରମିକ ଆଇନକୁ ଉପହାସ : ପର ଘରେ ମୂଲ ଲାଗୁଛି ୧୫ ବର୍ଷର ନାବାଳିକା

46

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କଲେଇ ଗାଁ ପଂଚାୟତର କୁଲିହାରୀ ଗାଁ । ଏଇ ଗାଁର କ୍ଷେତ୍ରୀ ତାଣ୍ଡିଙ୍କ ଝିଅ ଦିବ୍ୟଭାରତୀ ତାଣ୍ଡି, ବୟସ ମାତ୍ର ୧୫ ବର୍ଷ। ହେଲେ ଏଇ ବୟସରେ ବି ତାକୁ ପୋଷିବାକୁ ପଡୁଛି ୪ ପ୍ରାଣୀ କୁଟୁମ୍ବ। ଭାରତୀର ମାଆ କେବେଠୁ ଆରପାରିକୁ ଚାଲିଯାଇଛି। ଆଉ ୭-୮ ବର୍ଷ ହେବ ଦାଦନ ଖଟିବାକୁ ଯାଇଥିବା ବାପର ବି କିଛି ଖବର ନାହିଁ। ଦୁଃଖେ କଷ୍ଟେ ମାଟ୍ରିକ୍ ବି ପାସ କରିଛି ଭାରତୀ। ହେଲେ ପାଠ ଛାଡି ଏବେ ତାକୁ ପର ବିଲରେ ମୂଲ ଲାଗିବାକୁ ପଡୁଛି। କାରଣ ଛୋଟ ଛୋଟ ଦୁଇ ଭାଇ ଆଉ ୭୦ ବର୍ଷର ବୁଢୀ ମାଆଙ୍କ ପେଟକୁ ଦାନା ଯୋଗାଇବା ଏବେ ତା’ର ଦାୟିତ୍ୱ। ଆଗକୁ ପାଠ ପଢିବାକୁ ଇଛା ଥିଲେ ବି ଏଇ ବୟସରେ ପରିବାର ବୋଝ ମୁଣ୍ଡାଇବାକୁ ପଡିଛି ନାବାଳିକା ଭାରତୀକୁ। ତଥାପି ଓଳିଏ ଖାଇଲେ ଓଳିଏ ଉପାସ।

ପେଟ ପାଟଣା ଚିନ୍ତାରେ ଦିନ ବିତୁଥିବା ଏଇ ଗରୀବ ପରିବାରର ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡେ ବି ନାହିଁ। ଇନ୍ଦିରା ଆବାସ ଘର ଟିଏ ବି ମିଳି ନାହିଁ ଏହି ପରିବାରକୁ। ପରିବାର ପୋଷିବା ପାଇଁ ମଜୁରୀ ଲାଗି ଦୁଇ ପଇସା ରୋଜଗାର କରୁଛି ଭାରତୀ। ଅଧିକ ପାଠ ପଢିବାକୁୁ ଇଛା ଥିଲେ ବି ନିଜ ଆଶା ଓ ସ୍ୱପ୍ନକୁ ମନ ଭିତରେ ଚାପିବାକୁ ସେ ବାଧ୍ୟ ହୋଇଛି। ତେବେ ଏ ସଂପର୍କରେ ପ୍ରଶାସନକୁ ଜଣାଇ ଥିଲେ ବି କିଛି ସୁପଳ ମିଳିନି ବୋଲି କହିଛନ୍ତି କଲେଇଗାଁ ପଂଚାୟତର ସରପଂଚ।

ପ୍ରଶାସନିକ ସ୍ତରରେ ଉଦ୍ୟମ କରାଗଲେ ଏଇ ଗରୀବ ପରିବାରର ସ୍ଥିତି ସୁଧୁରିବା ସହ ଦିବ୍ୟଭାରତୀର ପାଠ ପଢିବା ସ୍ୱପ୍ନ ବି ସାକାର ହୋଇ ପାରନ୍ତା।