ସଫଳତାର ଆଉ ଏକ ସିଡି ! ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ପୁଣି ସ୍ଥାନ ପାଇଛି କୁଚିପୁଡି ନୃତ୍ୟ

44

ଆନ୍ଧ୍ରପ୍ରଦେଶର ନିଜସ୍ୱ ଶାସ୍ତ୍ରୀୟ ନୃତ୍ୟ ‘କୁଚିପୁଡି’କୁ ଆଉ ଥରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଛି । ବିଜୟଓ୍ଵାଡାର ଆଇଜିଏମ୍‌ସି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୬୧୧୭ କଳାକାରଙ୍କ ସଫଳ ନୃତ୍ୟ ପ୍ରଦର୍ଶନ ପରେ କୁଚିପୁଡିକୁ ଏଭଳି କୃତିତ୍ୱ ମିଳିଛି ।

‘ଜୟାମୁ ଜୟାମୁ’ ଗୀତରେ ସର୍ବାଧିକ ସଂଖ୍ୟକ କଳାକାର ନୃତ୍ୟ କରିଥିଲେ । ଏଥିପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିନିଜ୍‌ ବୁକ୍‌ର ପ୍ରମାଣ ପତ୍ର ହସ୍ତାନ୍ତର କରାଯାଇଛି ।

ପୂର୍ବରୁ ୨୦୧୨ରେ କୁଚିପୁଡିକୁ ଗିନିଜ ବୁକ୍‌ ରେକର୍ଡରେ ସ୍ଥାନ ମିଳିଥିଲା । ସେତେବେଳେ ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୯୦୦, କଳାକାର ନୃତ୍ୟ ପରିବେଷଣ କରିଥିଲେ ।

ଆନ୍ଧ୍ରପ୍ରଦେଶର ଭାଷା ଓ ସଂସ୍କୃତି ବିଭାଗ ଦ୍ୱାରା ଅନୁଷ୍ଠିତ ୫ମ ଅନ୍ତର୍ଜାତୀୟ କୁଚିପୁଡି ନୃତ୍ୟ ସମ୍ମିଳନୀରେ ନୃତ୍ୟଶିଳ୍ପୀମାନେ ‘ଜୟାମୁ ଜୟାମୁ’ ନୃତ୍ୟ ପରିବେଷଣ କରିଥିଲେ । ଭେମପତି ଚାଇନା ସତ୍ୟମ୍‌ଙ୍କ ସଂଯୋଜନାରେ କଳାକାରମାନେ ୧୨ ମିନିଟ୍ ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମରେ ଆମେରିକା, ୟୁଏଇ, ରୁଷିଆ, ଓ ମରିସସ୍‌ରୁ କଳାକାର ଭାଗନେଇଥିଲେ । ସମାରୋହରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ୍‌ ଭେଙ୍କିଆ ନାଇଡୁ ସମେତ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।