ଜୟପୁର ରାଜନୀତି ସରଗରମ ! ଜୟପୁରରୁ ନିର୍ବାଚନ ଲଢ଼ିବେ ବିଏସପି ନେତା କୃଷ୍ଣଚନ୍ଦ୍ର ଶଗରିଆ

249

କନକ ବ୍ୟୁରୋ : ଜୟପୁର ବିଧାନସଭା ଆସନରୁ ଲଢ଼ିବେ ବିଏସପି ନେତା ତଥା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଖୋଦ୍‌ ସଗରିଆ ଏମିତି ସଙ୍କେତ ଦେଇଛନ୍ତି । ଏପରିକି ଜୟପୁର ବିଧାନସଭା ଅଂଚଳରେ ଗତକାଲି ସାଧାରଣ ସଭା କରି ଜନ ସମର୍ଥନ ଲୋଡ଼ିଛନ୍ତି । କୃଷ୍ଣଙ୍କ ଏମିତି ନିଷ୍ପତ୍ତି କଂଗ୍ରେସ ସମୀକରଣକୁ ଓଲଟପାଲଟ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

କୋରାପୁଟର ପୂର୍ବତନ ବିଧାୟକ କଂଗ୍ରେସରୁ ଯିବା ପରେ ବିଏସପିରେ ଯୋଗ ଦେଇଥିଲେ । ତେବେ କେଉଁଠାରୁ ସେ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ କରି ନ ଥିଲେ । କୋରାପୁଟ କିମ୍ବା ଉପକୂଳ ଓଡ଼ିଶାର ଏକ ନିର୍ବାଚନ ମଣ୍ଡଳୀରୁ ସେ ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଗତକାଲି ସେ ବୋରିଗୁମ୍ମାରେ ଏକ ସାଧାରଣ ସଭା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଲୋକଙ୍କ ମତାମତ ନେବା ସହ ସେମାନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ଫଳରେ ସେ ଜୟପୁରରୁ ପ୍ରାର୍ଥୀ ହେଉଥିବା ଜଣାପଡ଼ିଛି । ସଗରିଆ ମଧ୍ୟ ଏହାକୁ ଅସ୍ବୀକାର କରି ନାହାନ୍ତି । ସେ କହିଛନ୍ତି ଯେ, ଏଠାରେ ବିଏସପି ଓ ଏସପି ମେଣ୍ଟ କରି ଜଣଙ୍କୁ ପ୍ରାର୍ଥୀ ଦେବ । ସେ ଲଢ଼ିବା ନେଇ ବିଚାର ଚାଲିଛି । ଖୁବ ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି ସଗରିଆ କହିଛନ୍ତି ।

କୃଷ୍ଣଙ୍କ ଏମିତି ଇଙ୍ଗିତ ଜୟପୁର ରାଜନୀତିକୁ ଗରମ କରିବାର ଆଶଙ୍କା ଜଳ ଜଳ ଦିଶୁଛି । ସଗରିଆ କୋରାପୁଟର ବିଧାୟକ ଥିଲେ ମଧ୍ୟ ଜୟପୁରକୁ ବାଛିବା ଏକ ଭିନ୍ନ ସଙ୍କେତ ଦେଉଛି । କୁହାଯାଉଛି ଯେ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ରହିଥିବା ବିବାଦକୁ କେନ୍ଦ୍ର କରି ସଗରିଆ ପୁରୁଣା ରାଗକୁ ଶୁଝାଇବା ପାଇଁ ଜୟପୁରରୁ ନିର୍ବାଚନ ଲଢ଼ିବାକୁ ପସନ୍ଦ କରିଛନ୍ତି । ସଗରିଆ ବିଧାୟକ ଭାବେ ଲଢ଼ିଲେ, କଂଗ୍ରେସର ଭୋଟ ବିଭାଜନ ହେବାର ଆଶଙ୍କା ରହିଛି।

ଜୟପୁର ନିର୍ବାଚନମଣ୍ଡଳୀରେ ବିଏସପିର କିଛି ଭୋଟ ରହିଛି । ଗତ ୨୦୦୪ ନିର୍ବାଚନରେ ବିଏସପି ପ୍ରାର୍ଥୀ ପ୍ରକାଶ ମହାନ୍ତି ଏଠାରୁ ୭୪୨୯ ଖଣ୍ଡ ଭୋଟ ପାଇଥିଲେ । ଅବଶ୍ୟ ପରେ ଭୋଟ ହାର କମିଥିଲା । ୨୦୦୯ରେ ଦଳ ୧୬୮୩ ଖଣ୍ଡ ‌ଭୋଟ ପାଇଥିଲା । ଗତ ୨୦୧୪ ନିର୍ବାଚନରେ ବିଏସପି ପ୍ରାର୍ଥୀ ସଦା ନାୟକ ୧୧୧୫ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନ ପାଇଁ ବିଜେଡି ପୂର୍ବରୁ ରବି ନାରାୟଣ ନନ୍ଦଙ୍କ ନାମ ଘୋଷଣା କରିଥିଲା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଟିକେଟ ଦେଇଛି । ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।