କୋଟିଆ ପରିସ୍ଥିତି ଜଟିଳ ! ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କାଲି ଗ୍ରାଉଣ୍ଡ ଜିରୋରେ ପଂହଚିବ ଆନ୍ତଃବିଭାଗୀୟ କମିଟି

42

କନକ ବ୍ୟୁରୋ : ଓଡିଶା ସୀମାନ୍ତବର୍ତ୍ତି କୋଟିଆ ପଂଚାୟତର ୨୧ଟି ଗାଁକୁ ଆନ୍ଧ୍ରପ୍ରଦେଶ କବଜା କରିବାକୁ ବସିଥିବାବେଳେ ଏକାଠି ହେଲେ କୋଟିଆ ପଂଚାୟତବାସୀ । ଦଳମତ ନିର୍ବିଶେଷରେ ଏକାଠି ହୋଇଛନ୍ତି ସମସ୍ତେ । ସମାବେଶ କରି ଆନ୍ଧ୍ରର ଦାଦାଗିରିକୁ ଜବାବ ଦେବା ପାଇଁ ଆମ କୋଟିଆ ସଂଗଠନ ନେତୃତ୍ୱରେ ଏକାଠି ହୋଇଛନ୍ତି । କୋଟିଆ ଆମର ଆମେ କାହାରିକୁ ଦେବୁ ନାହିଁ ବୋଲି ଶପଥ ଗ୍ରହଣ କରିଛନ୍ତି ଶତାଧିକ କୋଟିଆବାସୀ । ଅନ୍ୟପଟେ ଆନ୍ଧ୍ର କହିଛି କୋଟିଆରେ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିବ । ଏତେ ଦିନ ଯାଏ ଓଡିଶା ସରକାର କୋଉଠି ଶୋଇଥିଲେ । ସମାବେଶ କରି ଆନ୍ଧ୍ରକୁ ରୋକି ପାରିବେନି । ସେପଟେ କୋଟିଆ ଅଂଚଳ ପରିଦର୍ଶନ କରିବ ରାଜ୍ୟ ସରକାରଙ୍କ ଏକ ଆନ୍ତଃବିଭାଗୀୟ କମିଟି । ଆଜି ଏକ ଉଚ୍ଚସ୍ତରୀୟ କମିଟି କୋରାପୁଟ୍ ଜିଲ୍ଲା ଗସ୍ତ କରିବ ।

ସୂଚନାଯୋଗ୍ୟ କୋଟିଆରେ ଆନ୍ଧ୍ରର ଦାଦାଗିରି ଓ ଜବରଦସ୍ତି ଗାଁ ଦଖଲ ଉଦ୍ୟମକୁ କେମିତି ପ୍ରତିହତ କରିହେବ ଓ କୋଟିଆବାସୀ କିପରି ବିକାଶର ସୁଫଳ ପାଇପାରିବେ ସେ ନେଇ ଚାଲିଥିଲା ସର୍ବଦଳୀୟ ବୈଠକ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତା ଏଥିରେ ଭାଗ ନେଇଥିଲେ। ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ବି ଏଥିରେ ସାମିଲ ହୋଇଥିଲେ । କୋଟିଆର ଉନ୍ନତି ନେଇ ଚାଲିଥିଲା ବିଚାର ବିମର୍ଶ । ତେବେ ଏହି ବୈଠକ ସମୟରେ ଆନ୍ଧ୍ର ତେଲୁଗୁ ଦେଶମ୍‌ ପାର୍ଟିିର ଜଣେ ଯୁବନେତା ଖୋଲାଖୋଲି ଭାବେ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କୋଟିଆରେ ଆନ୍ଧ୍ର ପଶିଛି ଓ ଆଗକୁ ଆହୁରି ଓଡ଼ିଶା ଭିତରେ ପଶିବ । ଓଡ଼ିଶାରେ ବି ତେଲୁଗୁ ଦେଶମ୍‌ ପାର୍ଟି ରାଜନୀତି କରିବ ଓ ଏଥିରେ କେହି ବାଧା ଦେଇ ପାରିବ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏଭଳି ବିବୃତି ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହା ଆନ୍ଧ୍ରର ଶାସନ କ୍ଷମତାରେ ଥିବା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟଙ୍କ ମତ କି ଉକ୍ତ ଯୁବନେତାଙ୍କ ବ୍ୟକ୍ତିଗତ ଆକ୍ଷେପ ସେ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।