କୋରେଇରେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ ? ନୂଆ ମୁହଁ ଭରସାରେ ୩ ଦଳ

181

କନକ ବ୍ୟୁରୋ : କୋରେଇରେ ହାତୀ କାହା ମୁଣ୍ଡରେ ଢାଳିବ ସୁନାକଳସ । ରାଜ୍ୟବାସୀଙ୍କ ନଜର ଏବେ ଏହି ଆସନରେ ଅଛି । କଂଗ୍ରେସ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରାର୍ଥୀ କରିଛି ୨୦୧୪ରେ କଂଗ୍ରେସ ଟିକେଟରୁ ଲଢିଥିବା ବିଶ୍ୱଜିତ ନାୟକଙ୍କୁ । ସେପଟେ ଅଭିନେତାରୁ ନେତା ବନିଥିବା ବିଧାୟକ ଆକାଶ ଦାସ ନାୟକଙ୍କ ଜାଗାରେ ବରିଷ୍ଠ ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କୋରେଇ ବିଧାନସଭାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ମହିଳା କଂଗ୍ରେସର ଉପ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରିଛି । ୨୦୦୯ରେ ବ୍ୟାସନଗର ପୌର ପରିଷଦ ଅଧକ୍ଷ ହୋଇଥିବା ବନ୍ଦିତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେ ବର୍ତ୍ତମାନ ରାଜ୍ୟ ମହିଳା କଂଗ୍ରେସର ଉପ ସଭାନେତ୍ରୀ ଥିବା ବେଳେ କୋରେଇ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢିଥିବା ବିଶ୍ୱଜିତ ନାୟକଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେପି । ୨୦୧୪ରେ ସେ ବିଜେଡିର ଆକାଶଦାସ ନାୟକଙ୍କ ଠୁ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇ କୋରେଇ ବ୍ଲକ ଅଧକ୍ଷ ରହିଥିଲେ ।

ସେପଟେ ଅଭିନେତାରୁ ନେତା ବନିଥିବା ଆକାଶ ଦାସ ନାୟକଙ୍କୁ ଟିକେଟ ମିଳି ନ ଥିବା ବେଳେ ତାଙ୍କ ସ୍ଥାନରେ ବରିଷ୍ଠ ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୦୦୭ରେ ଅଶୋକ ଜିଲ୍ଲା ପରିଷଦ ଉପାଧକ୍ଷ ପଦବୀରେ ରହିଥିଲେ । ୨୦୧୪ରେ ଆକାଶକୁ ଟିକେଟ ମିଳିବା ପରେ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ପରେ ବିଜେପିରୁ ପୁଣି ବିଜେଡିକୁ ଫେରିଥିଲେ ଅଶୋକ । ବର୍ତ୍ତମାନ ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ରହିଥିବା ବେଳେ ଆନନ୍ଦପୁରର ପର୍ଯ୍ୟବେକ୍ଷକ ଅଛନ୍ତି । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପରାସ୍ତ ହୋଇଥିବା ଯୁବନେତା ବିଶ୍ୱଜିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଦୁଇ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ।