ଓଡିଶାରେ ପୁଣି ପୁଞ୍ଜିନିବେଶ ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୪୬ ଜଣିଆ ପ୍ରତିନିଧି ଦଳ, ୬ଟି କ୍ଷେତ୍ରରେ ହେବ ପୁଞ୍ଜିନିବେଶ

529

କନକ ବ୍ୟୁରୋ : ଓଡିଶାରେ ପୁଣି ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଓଡିଶାରେ କିପରି ପୁଞ୍ଜି ନିବେଶ କରିହେବ ସେ ନେଇ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ । ରାଜ୍ୟ ସରକାରଙ୍କର ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ମଧ୍ୟ ବିସ୍ତୃତ ଭାବେ ପ୍ରତିନିଧିମାନେ ଆଲୋଚନା କରିଛନ୍ତି । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ଓଡ଼ିଶା ବିନିଯୋଗର ଗଡ଼ ପାଲଟିଛି । ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରି ସୁଯୋଗ ମିଳିବ । ଉପକୃତ ହେବେ ଓଡ଼ିଶାର ଯୁବସମାଜ ।

ସେପଟେ ଦକ୍ଷିଣ କୋରିଆ ପ୍ରଦିନିଧି ଦଳର ସଦସ୍ୟ କହିଛନ୍ତି, ଓଡ଼ିଶା ସହ କୋରିଆର ନୂଆ ସମ୍ପର୍କ ସ୍ଥାପନ ହୋଇଛି । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା । କୃଷି, ମତ୍ସ୍ୟସମ୍ପଦ, ହର୍ଟିକଲଚର, ଇସ୍ପାତ, ସେବା, ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କୋରିଆ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଦିନିଧି ଦଳର ସଦସ୍ୟ ।

ଓଡ଼ିଶାର ଅର୍ଥନୀତି ଓ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିଲା କୋରିଆ । ତେବେ ପୋସ୍କୋ ସମୟର ଅଭିଜ୍ଞତାକୁ ଆଧାର କରି ପୁଣି ଓଡିଶାରେ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛିି କୋରିଆ । ଏଥିପାଇଁ ଆଜି କୋରିଆ ଗଣରାଜ୍ୟର ଶିଳ୍ପ ଓ ବାଣିଜ୍ୟର ୪୬ ଜଣିଆ ପ୍ରତିନିଧି ଦଳ ଓଡିଶା ଆସିଛନ୍ତି ।