କୋରାପୁଟ ମାର୍କେଟରେ ସୁଗର ଫ୍ରି ଚାଉଳ ! ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ସୃଷ୍ଟି କଲେ କୋରାପୁରଟ ସଫଳ ଚାଷୀ ନିତ୍ୟାନନ୍ଦ

64

କନକ ବ୍ୟୁରୋ : ଜୈବିକ ପଦ୍ଧତିରେ ଧାନ ଚାଷ ସାଙ୍ଗକୁ ଆମ୍ବ ଚାଷ । ବାଡିରେ ହସୁଛି ସପୁରୀ । ଆଗକୁ ମିଳିବ ସୁଗର ଫ୍ରି ଆମ୍ବ । ୧୫୦ରୁ ଅଧିକ ଦେଶୀ ଧାନ ବିହନ ସାଇତି ରଖିବା ସହ ନିଜେ ଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ । ଆଉ ପରିଣତ ବୟସରେ ଅନେକ ପୁରସ୍କାରର ଅଧିକାରୀ କୋରାପୁଟର ସଫଳ ଚାଷୀ ନିତ୍ୟାନନ୍ଦ ଲେଙ୍କା ।

କଳା ରଙ୍ଗର ଚାଉଳ ଖାଇଲେ ଯେ, ଖାଲି ପେଟ ପୂରିବ ତା ନୁହେଁ, ତାହା କେଉଁ ଔଷଧ ଠାରୁ କମ୍ ନୁହେଁ । କ୍ୟାନସର ପ୍ରତିରୋଧ ଶକ୍ତିଥିବା ଚାଉଳ ଆପଣଙ୍କୁ ମଧୂମେହ ରୋଗ ଠାରୁ ଦୂରେଇ ରଖିବ । ହାଣ୍ଡିଶାଳ, କଳାମାଳି, କଳାକୃଷ୍ଣ, କଳାଜିରା ଭଳି ଅନେକ ସୁଗର ଫ୍ରି ଚାଉଳ ବାହାରେ କିଲୋ ପ୍ରତି ୧୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋରାପୁଟରେ ୪ ସହରୁ ୫ସହ ଟଙ୍କାରେ ମିଳୁଛି । ବିଶ୍ୱାସ ନହେଲେ ବି କଥାଟି ସଂପୂର୍ଣ୍ଣ ସତ । ୧୫୦ରୁ ଅଧିକ ଦେଶୀ ଧାନ ବିହନକୁ ନେଇ ଜୈବିକ ପଦ୍ଧତିରେ ଚାଷ କରିବା ସହ ସୁଗାର ଫ୍ରି ଚାଉଳ ଯୋଗାଉଛନ୍ତି କୋରାପୁଟର ନିତ୍ୟାନନ୍ଦ ଲେଙ୍କା । ବନ ଅଧିକାରୀ ଭାବେ ଅବସର ନେବା ପରେ ୨୦୦୮ ମସିହାରୁ ଚାଷକୁ ଆଦରି ନେଇଛନ୍ତି ନିତ୍ୟାନନ୍ଦ । ଜୈବିକ ପଦ୍ଧତିରେ ମାଟିଧାନ, ପଣ୍ଡାକାଧାନ, ପାରାଧାନ, ଉଷାଗଠିଆଳି, ଇଲିପିସୁନା, ମେହର, ଭଟାଚୁଡ଼ି, ମାଗୁର, ହଳଦିଆଚୁଡ଼ି, କଳାବତି ଭଳି ଅନେକ ଦେଶୀ ବିହନକୁ ସାଇତି ପୁରସ୍କୃତ ହୋଇଛନ୍ତି ନିତ୍ୟାନନ୍ଦ ।

ନିତ୍ୟାନନ୍ଦ ଲେଙ୍କା ଜୈବିକ ପଦ୍ଧତିରେ ୪ ଏକର ଜମି ବିଭିନ୍ନ ଜାତିର ଆମ୍ବ, ଲେମ୍ବୁ, ସପୁରି ଓ ବାଉଁଶ ଚାଷ କରିଛନ୍ତି । ନିତ୍ୟାନନ୍ଦଙ୍କ କ୍ଷେତରେ ବିଭିନ୍ନ ପ୍ରକାରର ଆମ୍ବ ଫଳିଥିବା ବେଳେ ସେ ଏବେ ସୁଗର ଫ୍ରି ଆମ୍ବ ଚାଷ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେହିଭଳି ବାଉଁଶର ଏକ ପ୍ରଜାତିକୁ ନିଜେ କଲମି କରି ସୃଷ୍ଟି କରିଛନ୍ତି ଉନ୍ନତ ଜାତିର ବିହନ । ଯାହାକି ଆଗାମୀ ଦିନରେ ଅର୍ଥ ଉପାର୍ଜନର ଏକ ମାଧ୍ୟମ ହେବ ବୋଲି ଆଶା ରଖିଛନ୍ତି ନିିତ୍ୟାନନ୍ଦ । ଜୈବିକ ଚାଷ ପାଇଁ ଯାହା ଆବଶ୍ୟକ ତାହା ସେ ଯୋଗାଡ଼ କରିଛନ୍ତି । ସରକାରଙ୍କ ହିର୍ଟିକଲଚର ବିଭାଗର ସହାୟତା ନେଇ ସେ ଆଗକୁ ବଢ଼଼ି ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ଉଦ୍ୟାନ ବିବାଗର ବିଭାଗୀୟ ଅଧିକାରୀ ।