ଅପହଂଚ ସରକାରୀ ଯୋଜନା : ପୂଜାରୀପୁଟ ଓ ପିପଲଗାଁର ଗ୍ରାମବାସୀଙ୍କ ଭରସା ଦଦରା ବାଉଁଶ ପୋଲ

39

କୋରାପୁଟ : ଦଦରା ବାଉଁଶ ପୋଲ ହିଁ ଭରସା । ପ୍ରଶାସନକୁ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ଗାଁ ଲୋକେ ନିଜେ ତିଆରି କରିଥିଲେ ପୋଲ । ଆଉ ଗମନାଗମନ ପାଇଁ ଏହା ଥିଲା ଏକମାତ୍ର ସାହାରା । ଏବେ ତା ଅବସ୍ଥା ବି ସଙ୍ଗୀନ୍ । ଯାହାକୁ ନେଇ ଚିନ୍ତାରେ କୋରାପୁଟ ଜିଲ୍ଲାର ପୂଜାରୀପୁଟ ଓ ପିପଲଗାଁର ଗ୍ରାମବାସୀ । ନଦୀ ପାର ପାଇଁ ଦଦରା ବାଉଁଶ ପୋଲ ଉପରେ ଭରସା କରନ୍ତି ଏ ଗାଁର ଲୋକେ, କେତେବେଳେ ଯେ, ଭାଙ୍ଗି ପଡିବ ଏହା କହି ହେବନି । ସ୍ଥାନେ ସ୍ଥାନେ ବାଉଁଶ ଭାଙ୍ଗି ପଡିଛି । ତଥାପି ତାହାରି ସାହାଯ୍ୟରେ ନଦୀପାର ହେଉଛନ୍ତି ଲୋକ । ବର୍ଷା ଦିନେ ନଦୀ ଆରପଟେ ଥିବା କୁନ୍ଦ୍ରା ଓ ମସି ଗାଁକୁ ଯିବା ପାଇଁ ଏହି ପୋଲ ଉପରେ ହିଁ ନିର୍ଭର କରିଥାନ୍ତି ପୂଜାରୀପୁଟ ଓ ପିପଲ ଗାଁର ଲୋକ ।

ସ୍ଥାୟୀ ପୋଲଟିଏ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରି ନିରାଶ ହେବା ପରେ ସ୍ଥାନୀୟ ବାସିନ୍ଦା ନିଜ ଉଦ୍ୟମରେ ଏ ବାଉଁଶ ପୋଲଟି ନିର୍ମାଣ କରିଥିଲେ । ହେଲେ ବର୍ଷେ ପରେ ପୋଲଟିର ଅବସ୍ଥା ଖରାପ ହୋଇ ଯିବାରୁ ପୁଣି ଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ପାଇଥିବା କହିଛନ୍ତି ଜୟପୁର ଉପଜିଲ୍ଲାପାଳ । ତେବେ ଏନେଇ କୁନ୍ଦ୍ରା ବିଡିଓଙ୍କ ସହ ଆଲୋଚନା କରିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ କୃତିବାସ ରାଉତ । ସରକାର ବିଭିନ୍ନ ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିରିଗାଡି ନଦୀ ଉପରେ ପୋଲ ପାଇଁ କେବେ ବ୍ୟୟବରାଦ ହେଉଛି ତାକୁ ହିଁ ଅପେକ୍ଷା । ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ :