କୋରାପୁଟ କୁରୁକ୍ଷେତ୍ରରେ କାହାର ହେବ ରାଜତିଳକ ? ପର ଶିବିରର ସୈନିକ ସାଜିବେ କି ଟ୍ରମ୍ପକାର୍ଡ ?

244

କନକ ବ୍ୟୁରୋ : କୋରାପୁଟବାସୀଙ୍କ ପାଇଁ ଦିଲ୍ଲୀ ଦରବାରରେ କିଏ ଉଠାଇବ ସ୍ୱର । କାହାକୁ ଭରସା କରିବେ କୋରାପୁଟବାସୀ । ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଲୋକସଭା ଆସନକୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ସ୍ୱାଧୀନତା ପରେ ପରେ କଂଗ୍ରେସର ଗଡ ଭାବେ ପରିଚିତ ହୋଇ ଆସୁଥିବା କୋରାପୁଟ ଆସନକୁ ଗତ ଏକ ଦଶନ୍ଧି ହେବ ନିଜ କବଜାରେ ରଖିଛି ବିଜେଡି । କିନ୍ତୁ ଚଳିତ ଥର କୋରାପୁଟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ । ଏହାପଛର କାରଣ ହେଉଛି ଦଳବଦଳ ରାଜନୀତି ।

ସମୟ ବଦଳିବା ସହ ବଦଳିଛି କୋରାପୁଟ ରାଜନୀତି । ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ କଂଗ୍ରେସ ଓ ବିଜେଡିର ଦୁଇ ହେଭିୱେଟ ନେତା ଗିରିଧିର ଗମାଙ୍ଗୋ ଓ ଜୟରାମ ପାଙ୍ଗୀ ଏବେ ଗେରୁଆ ଦଳରେ । ତେଣୁ ଏହି ଲୋକସଭା ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶାରଦ ମାନେ ଅଙ୍କ କଷିଛନ୍ତି । ତେବେ ଏଥର ଦଳ କିମ୍ବା ପ୍ରସଙ୍ଗ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହିଁ ଜିତିବାର ଫର୍ମୁଲା ଭାବେ ଉଭା ହୋଇପାରେ ।

କୋରାପୁଟ ଜିଲ୍ଲାର ୪ଟି ଓ ରାୟଗଡାର ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଗଠନ ହୋଇଛି। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଝିନ୍ନ ହିକକା ୩,୯୫,୧୦୯ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସର ଗିରିଧର ଗମାଙ୍ଗଙ୍କୁ ୩,୭୫, ୭୮୧ ଭୋଟ ମିଳିଥିଲା। ବିଜେପିରୁ ଶିଙ୍କ ଶଙ୍କର ଉଲ୍ଲାକା ପ୍ରାର୍ଥୀ ହୋଇ ୮୯,୭୮୮ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିଜେଡର ଜୟରାମ ପାଙ୍ଗୀ ୩,୧୨,୭୭୬ ଖଣ୍ଡ ଭୋଟ ପାଇଥିବା ବେଳେ ସେଥର କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗୋଙ୍କୁ ୨,୧୬,୪୧୬ ଖଣ୍ଡ ଭୋଟ ମିଳିଥିଲା। ସିଧାସଳଖ ଭାବେ କହିବାକୁ ଗଲେ ଗତ ଦୁଇଟି ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଫାଇଟ ହୋଇଥିବା ବେଳେ ବିଜେପି ଏହି ରେସରେ ବହୁତ ପଛରେ ରହିଥିଲା ।

କୋରାପୁଟ ଲୋକସଭା ଆସନର ଇତିହାସ ସୂଚାଉଛି, ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହୋଇଥାଏ। ବିଜେପି ଏହି ଆସନରେ ଏଯାଏ ନିଜର ଦବଦବା ଦେଖାଇପାରିନାହିଁ। କିନ୍ତୁ ରାଜନୈତିକ ଘଟଣା କ୍ରମରେ ଗତ ଦିନରେ ଏଠାରୁ ବି ବିଜେଡି ଓ କଂଗ୍ରେସରୁ ସାଂସଦ ହୋଇଥିବା ଦୁଇ ପୁରୁଖା ନେତା ଏବେ ପଦ୍ମ ଦଳରେ ।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଠାରୁ ରେକର୍ଡ ସମୟ ସାଂସଦ ଥିବା ଗିରିଧର ଗମାଙ୍ଗୋ ତାଙ୍କ ଦଳବଳ ନେଇ ବିଜେପିରେ ସାମିଲ ହୋଇଥିଲେ। ପୁଣି ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ମଧ୍ୟ ପଦ୍ମ ପୋଖରୀକୁ ସମର୍ଥକଙ୍କ ସହିତ ଡେଇଁଛନ୍ତି।

ବିଜେଡି ଓ କଂଗ୍ରେସର ଏହି ଦୁଇ ପୁରୁଣା ସିପାହୀଙ୍କୁ ସାଥୀରେ ନେଇ ଆଗାମୀ ନିର୍ବାଚନ ଲଢିବାକୁ ଯାଉଛି ବିଜେପି । ଅତଏବ ଏମାନଙ୍କ ସାହାଯ୍ୟରେ ବିଜେପିର ଶକ୍ତି କେତେ ବଢିଛି, ତାହାର ସାର୍ଟିଫିକେଟ ଆସନ୍ତା ନିର୍ବାଚନରେ ଜନତା ଦେବେ। କେବଳ ସେତିକି ନୁହେଁ, ଉଭୟ ବିଜେଡି ଓ କଂଗ୍ରେସରୁ ଦୁଇ ହେଭିୱେଟ ନେତା ପଦ୍ମ ପୋଖରୀରେ ବୁଡ ମାରିବା ପରେ କ୍ଷତି ସହିଛନ୍ତି କି ଉଭୟ ଦଳ ।  ଏଭଳି ଚର୍ଚ୍ଚା ଲାଗିରହିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ ପୂର୍ବଭଳି ରହିଛି ନା କେବଳ ନେତା ବିଜେପିରେ ମିଶିଲେ କର୍ମୀ ପୁରୁଣା ଦଳ ସହ  ରହିଲେ, ତାହା ମଧ୍ୟ ଆସନ୍ତା ନିର୍ବାଚନ ନିର୍ଣ୍ଣୟ କରିବ।

ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀଙ୍କୁ ଦଳରେ ସାମିଲ କରି ସେମାନଙ୍କ ଭୋଟବ୍ୟାଙ୍କ ବଳରେ ବିଜେପି କୋରାପୁଟ କୁରୁକ୍ଷେତ୍ରରେ ମେଡେନ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଆଉ ଖାସ୍ ସେଥିପାଇଁ ସୁଚିନ୍ତିତ ଯୋଜନା ସହ ଜୟରାମ ପାଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । ତେବେ ଜୟରାମ ପାଙ୍ଗୀଙ୍କ ଭୋଟବ୍ୟାଙ୍କରେ ଭାଗ ବସାଇବାକୁ ବିଜେଡି ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଜୟରାମ ପାଙ୍ଗୀଙ୍କୁ ଚକମା ଦେବାକୁ ବିଜେଡି ମଧ୍ୟ ବଡ ବହ୍ମାସ୍ତ୍ର ନିର୍ବାଚର୍ନୀ ମୈଦାନକୁ ଛାଡିବାକୁ ଲକ୍ଷ୍ୟ ରଖିଛି । ବିଜେପିର ଚାଲକୁ ପ୍ରତିହତ କରିବାକୁ ଜୟରାମ ପାଙ୍ଗୀଙ୍କ ପୁତୁରା ତଥା ପଟାଙ୍ଗୀ ବିଧାୟକ ପ୍ରଫୁଲ ଫାଙ୍ଗୀଙ୍କୁ ମୈଦାନକୁ ଆଣିବାକୁ ବିଜେଡି ଯୋଜନା କରୁଥିବାର ଖବର କୋରାପୁଟରେ ଚର୍ଚ୍ଚା ହେଉଛି । ଆଉ ଯଦି ଏଭଳି ହୁଏ ତେବେ କୋରାପୁଟରେ ଆଗାମୀ ନିର୍ବାଚନରେ ଦାଦା-ପୁତୁରା ଲଢେଇ ଦେଖିବାକୁ ମିଳିବ ।

ଏସବୁ ଭିତରେ ବର୍ତ୍ତମାନର ସାଂସଦ ଝିନ୍ନ ହିକକା ପୁଣିଥରେ ଟିକେଟ ପାଇବେ କି ନାହିଁ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ତେବେ ଝିନ୍ନ ଏଥର ଲୋକସଭା ଛାଡି ନିଜର ପୁରୁଣା ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଶୁଣାଯାଉଛି । ଏମାନଙ୍କ ବ୍ୟତୀତ କୋରାପୁଟ ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନୀ  କିମ୍ବା ଯୁବ ନେତା ମଦନ କିର୍ସାନୀଙ୍କୁ ଦଳ ଲୋକସଭା ଟିକେଟ ଦେଇପାରେ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି ।

ଅନ୍ୟପଟେ କଂଗ୍ରେସର ଗଡ ଭାବେ ପରିଚିତ କୋରାପୁଟରେ ଗିରିଧର ଗମାଙ୍ଗ ଦଳର ‘ହାତ’ ଛାଡିଦେବା ପରେ କଂଗ୍ରେସ ଶିବିରକୁ ବଡ ଝଟକା ଲାଗିଛି । ଗିରିଧର ହାତ ଛାଡି ପଦ୍ମ ଧରିବା ପରେ ଭୁଷୁଡି ଯାଇଛି କଂଗ୍ରେସ ଗଡ ।ଏସବୁ ଭିତରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି । କଂଗ୍ରେସରେ ଏକାଧିକ ନାମକୁ ନେଇ ଚର୍ଚ୍ଚା ହେଉଛି । ରାୟଗଡାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗୋ, ରାଧାମୋହନ ସାରକା ଓ ସପ୍ତଗିରି ଉଲ୍ଲାକା ଏହି ରେସରେ ଆଗରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଊଲ୍ଲାକାଙ୍କ ପୁଅ ସପ୍ତଗିରି ହୋଇଥିବା ବେଳେ ତାଙ୍କ ଜ୍ୱାଇଁ ହେଉଛନ୍ତି ରାଧାମୋହନ । ତେବେ ଗିରିଧର ଗମାଙ୍ଗ ଯିବା ପରେ ଯେଉଁ ଶୂନ୍ୟସ୍ଥାନ ଫାଙ୍କା ପଡିଥିଲା ତାହାକୁ ତାଙ୍କ ପତ୍ନୀ ହେମା ଗମାଙ୍ଗ ଦଳରେ ଯୋଗ ଦେଇ ପୁରଣ କରିବେ ବୋଲି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ସେ କଂଗ୍ରେସରେ ମିଶିବା ସହ ଟିକେଟ ଦୌଡରେ ସାମିଲ ହେବେ ବୋଲି ତାଙ୍କର ନିକଟତମ ମହଲରୁ ସୂଚନା ମିଳିଛି ।

କୋରାପୁଟ କୁରୁକ୍ଷେତ୍ରରେ ତିନି ଦଳ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ଏହାଭିତରେ ବିଜେଡି ନିଜ ଗଡ ରକ୍ଷା କରିବାରେ ସକ୍ଷମ ହେଉଛି ନା କଂଗ୍ରେସ ଓ ବିଜେଡିରୁ ସିପାହୀ ନେଇ ବିଜେପି ମେଡେନ ବିଜୟ ହାସଲ କରୁଛି ନା କଂଗ୍ରେସ ନିଜର ଭୋଟବ୍ୟାଙ୍କ ବଳରେ ପୁଣିଥରେ କୋରାପୁଟ କୁରୁକ୍ଷେତ୍ରରେ ବିଜୟ ହାସଲ କରୁଛି ତାହାର ସାର୍ଟିଫିକେଟ ଜନତାଙ୍କ ଠାରୁ ମିଳିବ ।