୨୦୧୯ ନିର୍ବାଚନ ପାଇଁ କୋରାପୁଟରେ ସରଗରମ ରାଜନୀତି ପାଣିପାଗ ! ଗଳି କନ୍ଦିରେ ଚାଲିଛି ରାଜନୈତିକ ଚର୍ଚ୍ଚା

214

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ଚଳଚଂଚଳ କୋରାପୁଟ । ପ୍ରତି ଗଳି କନ୍ଦିରେ ନେତାଙ୍କ ଅପେକ୍ଷା କର୍ମୀଙ୍କ ପ୍ରବଳ ଭିଡ଼ । ଦୋକାନ ବଜାର ସବୁ ରାଜନୈତିକ ଚର୍ଚ୍ଚା । ଗତ ନିର୍ବାଚନ ତଥ୍ୟ ଅନୁସାରେ ଜିଲ୍ଲାର ୧୪ଟି ବ୍ଲକରେ ମୋଟ ୮ ଲକ୍ଷ ୧୬ ହଜାର ୫୭୯ ଜଣ ଭୋଟର ଅଛନ୍ତି । ଯେଉଁମାନେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଆଉ ୨୦୧୯ ନିର୍ବାଚନରେ କୋରାପୁଟରେ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରୀକୋଣୀୟ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ତେଣୁ ଏବେଠୁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି ।

ଗଡ଼ ଜିତିବାକୁ ଅଂଟା ଭିଡ଼ଲେଣି ପ୍ରତ୍ୟେକ ଦଳ । ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜିଲ୍ଳାରେ ରାଜନିତିର ଉଷ୍ମତା ବଢିଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଚିନ୍ତାରେ ୩ ଦଳର ସଭାପତି । ଦଳୀୟ କନ୍ଦଳକୁ ନେଇ କଂଗ୍ରେସ କାହାକୁ ଟିକଟ ଦେବ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କୋରାପୁଟ ନିର୍ବାଚନ ମଣ୍ଡଳିର ବିଧାୟକ କୃଷ୍ଣ ଶଗରିଆ ପଦ ଛାଡ଼ିଥିବା ବେଳେ ଏଥର ପୁଣି ତାଙ୍କୁ ଦଳ ଟିକଟ ଦେଲେ କର୍ମୀଙ୍କ ମନରେ ଅସନ୍ତୋଷ ବଢ଼ିବ, ତେଣୁ ଦଳ ନୂଆ ମୁହଁ ଖୋଜୁଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ସଭାନେତ୍ରୀ ।

କଂଗ୍ରେସର ଦଳୀୟ କନ୍ଦଳର ଫାଇଦା ଉଠାଇବ ବିଜେଡ଼ି । ଗତ ନିର୍ବାଚନରେ ଦଳର ପରାଜୟ କାରଣ ଖୋଜିବା ସହ ଏଥର ରଣନୀତି ପରିବର୍ତନ କରୁଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ମନ୍ତ୍ର ଏବଂ ଦଳରେ ରାଜ୍ୟ ସ୍ତରୀୟ ନେତାଙ୍କ ଯୋଗଦାନ କର୍ମୀ ଓ ନେତାଙ୍କ ମନବଳ ଦୃଢ କରିଛି । ଆଗ।।ମୀ ନିର୍ବାଚନରେ ବିଜେଡ଼ି ଜିଲ୍ଳାର ସମସ୍ତ ୫ଟି ଆସନ ଦଖଲ କରିବ ବୋଲି କୋରାପୁଟ୍ ଜିଲ୍ଲା ବିଜେଡି ସଭାପତି କହିଛନ୍ତି । ସେପଟେ କଂଗ୍ରେସ ଓ ବିଜେଡ଼ି ଦଳକୁ ଟକ୍କର ଦେବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଓ ବିକାଶର ମନ୍ତ୍ରକୁ ଅସ୍ତ୍ର କରି ଭୋଟରଙ୍କୁ ମନେଇବ ଦଳ । ୨୦୧୪ ନିର୍ବାଚନରେ ପଟାଙ୍ଗି ଆସନକୁ ବିଜେଡି କବ୍ଜା କରିଥିବା ବେଳେ କଂଗ୍ରେସ ହାତକୁ ଯାଇଥିଲା ଜୟପୁର , କୋରାପୁଟ, କୋଟପାଡ଼, ଓ ଲକ୍ଷ୍ମୀପୁର ଆସନ ।