ନାବାଳିକା ଗଣଦୁଷ୍କର୍ମ ଘଟଣା ! ରେଡ ଫ୍ଲାଗ କ୍ୟାଟେଗୋରୀରେ ରଖିଲା ପୁଲିସ, ତଦନ୍ତ ପାଇଁ କୋରାପୁଟ ଗଲା କ୍ରାଇମବ୍ରାଂଚ ଟିମ

42

କନକ ବ୍ୟୁରୋ: କୋରାପୁଟ କୁନ୍ଦୁଲିରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାକୁ ରେଡ ଫ୍ଲାଗ କ୍ୟାଟେଗୋରୀ ବିବେଚନା କଲେ ପୁଲିସ ଡିଜି । ରେଡ ଫ୍ଲାଗ କ୍ୟାଟେଗୋରୀରେ ଥିବା ମାମଲାକୁ ଅଗ୍ରାଧିକାର ଭିତିରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ତେବେ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମମାଲା ଏହି କ୍ୟାଟେଗୋରୀରେ ଆସିଥିବାରୁ ଅଗ୍ରାଧିକାର ଭିତିରେ ଏହାର ତଦନ୍ତକୁ ତ୍ୱରାନ୍ୱିତ କରାଯିବ । ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ବିଏସଏଫ ଓ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

ତେବେ ଘଟଣାକୁ ସିଆରପିଏଫ ପକ୍ଷରୁ ଖଣ୍ଡନ କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି କହିଛନ୍ତି । ତେବେ ନକ୍ସଲମାନେ ବି ଏପରି ଡ୍ରେସ ପିନ୍ଧୁ ଥିବା ଯୋଗୁଁ ସେମାନେ ମଧ୍ୟ ସନ୍ଦେହ ଘେରରେ ରହିଥିବା ଡିଜି ସୂଚନା ଦେଇଛନ୍ତି । ଏହାସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ୫ଜଣିଆ ଟିମ ଓ ବ୍ରହ୍ମପୁର ଫରେନସିକ ଲ୍ୟାବର ସହକାରୀ ନିର୍ଦ୍ଦେଶକ ମଧ୍ୟ କୋରାପୁଟ ଗସ୍ତରେ ଯାଇଛନ୍ତି ।

ଅନ୍ୟପଟେ, ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗତକାଲିଠାରୁ ଏହି ଆନ୍ଦୋଳନ ଜାରି ରହିଛି । ପଟାଙ୍ଗୀ ବ୍ଳକର କୁନ୍ଦୁଲୀ ହାଟପଦା ନିକଟ ଜାତୀୟ ରାଜପଥ ୨୬ କୁ ଗତକାଲି ଦିନ ୨ଟା ଠାରୁ ବର୍ତମାନ ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତା ଅବରୋଧ କରି ରଖିଛନ୍ତି । ରାତି ତମାମ ପୋଲିସ ଗ୍ରାମବାସୀ ଙ୍କୁ ବୁଝାଇବା ସହ ତଦନ୍ତ ପ୍ରକ୍ରୀୟାକୁ ଆଗକୁ ବଢାଇଛି ଓ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରାଯିବ ସେଥିପାଇଁ ସମୟ ମାଗିବାରୁ ଗ୍ରାମ ବାସୀ ମନା କରିବା ସହ ନିଜ ଜିଦରେ ଅଟଳ ରହିଛନ୍ତି । ପୋଲିସ ରାସ୍ତାରୁ ଆନ୍ଦୋଳନକାରୀଙ୍କୁ ଉଠାଇବାରେ ସଫଳ ହୋଇପାରି ନାହିଁ । ଏହା ଦ୍ୱାରା ଶତାଧିକ ଗାଡ଼ି ରାସ୍ତାର ଦୁଇ ପାଶ୍ୱର୍ରେ ୧୦ କିମି ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଲାଗିରହିଛି । ବିଶାଖାପାଟଣା-ଜୟପୁର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛିା ଫଳରେ ଯାତ୍ରୀ ନାହିଁ ନଥିବା ହଇରାଣର ସମ୍ବୁଖିନ ହୋଇଛନ୍ତି । ଦୋଷୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକାରୀ ଅଡି ବସିଛନ୍ତି ।

ସେପଟେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଲା ପରେ ବୟାନ ରେକର୍ଡ଼ କରାଯଇ ତଦନ୍ତ ପ୍ରକ୍ରୀୟାକୁ ଆଗକୁ ବଢ଼ାଯିବ ଓ ଦୋଷି ପ୍ରତି କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି । କୋରପୁଟ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ମେଡ଼ିକାଲ ବିଭାଗରୁ ଜଣାପଡ଼ିଛି । କୋରାପୁଟରୁ ଶହେ କିଲୋମିଟର ଦୂର ସେମିଳିଗୁଡାରେ ଜଣେ ନାବାଳିକାକୁ ସୁରକ୍ଷାକର୍ମୀ ମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନବମ ଶ୍ରେଣୀ ଛାତ୍ରୀଙ୍କୁ କୋବ୍ରା ବାଟାଲିୟନର ୪ ଜଣ ଯବାନ ଜଙ୍ଗଲ ମଧ୍ୟରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି କୋରାପୁଟର ଜନପ୍ରତିନିଧି । ଆଜି ସକାଳେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ ଓ ନିମାଁଇ ସରକାର କୋରାପୁଟ ମେଡିକାଲ ଆସିଥଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗର ସ୍ୱତନ୍ତ୍ର କ୍ୟାବିନରେ ଥିବା ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ପରେ ତାଙ୍କ ମାଆଙ୍କୁ ଭେଟଛନ୍ତି ବିଧାୟକମାନେ । ଏହାପରେ କୋରାପୁଟ ଡାକ୍ତରଖାନାର ଏଡିଏମଓ ଡାକ୍ତର ପର୍ଶୁରାମ ଚମ୍ପତିରାୟଙ୍କ ସହ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ବାବଦରେ ଆଲୋଚନା କରିଛନ୍ତି । ପୀଡିତାର ଅବସ୍ଥା ସ୍ଥିର ରହିଥିବା ଏଡିଏମଓ କହିଛନ୍ତି । ଦେହରେ କ୍ଷତ ଚିହ୍ନ ରହିଛି, କେତେକ ପରୀକ୍ଷା କରାଯାଇଛି, ରିପୋର୍ଟ ଆସିବା ପରେ ଗଣଦୁଷ୍କର୍ମ ନେଇ ଜଣାପଡିବ ବୋଲି କହିଛନ୍ତି ଡାକ୍ତର ପର୍ଶୁରାମ ଚମ୍ପତିରାୟ ।

ବଡ ପ୍ରଶ୍ନ ହେଉଛି, ଦୋଷୀଙ୍କ ଗିରଫଦାରୀ କେବେ ହେବ । ଯଦି ବିଏସଏଫ ଯବାନ ନାବାଳକାକୁ ଦୁଷ୍କର୍ମ କରିନାହାନ୍ତି ତାହାହେଲେ ଦୁଷ୍କର୍ମ କରିଛି କିଏ । ତଦନ୍ତକାରୀ ସଂସ୍ଥାର ତଦନ୍ତର ଗତି ଯିବ କୁଆଡେ । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ନୁହେଁ କି । ନାବାଳିକାର ଚିକିତ୍ସା ଚାଲିଛି ସେ ସୁସ୍ଥ ହେବା ପରେ ସତ ବାହାରିବ କି । ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଯବାନଙ୍କ ପୋଷାକ ପିନ୍ଧିବା ସହ ବନ୍ଧୁକଧାରୀ ଥିଲେ । ଯଦି ଘଟଣାରେ ବିଏସଫର ସଂପୃକ୍ତି ନାହିଁ ତାହା ହେଲେ ଏହି ଘୃଣ୍ୟ କାମ କରିଛି କିଏ । ବିଏସଏଫର ସଫେଇ ହେଉଛି ସଂପୃକ୍ତ ଅଂଚଳରେ କ୍ୟାମ୍ପ ନାହିଁ । କମ୍ବିଂ ଅପରେସନ ବି ଚାଲିନଥିଲା ଏହା ଯୁକ୍ତିର ସତ୍ୟତା କେତେ ଅଛି । ଘଟଣାସ୍ଥଳର ୩୦ କିଲୋମିଟରରେ ରହିଛି ରାଲେଗାଡା ବିଏସଏଫ କ୍ୟାମ୍ପ । ଆଉ ସୁନାବେଡାରେ ରହିଛି କୋବ୍ରା ବାଟାଲିୟନର କ୍ୟାମ୍ପ । ଘଟଣାସ୍ଥଳରୁ ଏହା ମାତ୍ର ୧୫ରୁ ୧୮ କିଲୋମିଟର । ଏଠାରେ ପ୍ରଶ୍ନ ଉଠୁଛି, ଘଟଣା ପଛରେ ତାହାହେଲେ କିଏ ଅଛି ।