ଚର୍ଚ୍ଚାରେ କୋରାପୁଟ ଲୋକସଭା ଆସନ, ସମ୍ଭାବ୍ୟ ପ୍ରାର୍ଥୀ ନେଇ ତିନି ଦଳର ଅଙ୍କକଷା ! ପୁଣି ବିଜୟୀ ହେବା ଲକ୍ଷ୍ୟରେ ବିଜେଡି, ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ

311

କନକ ବ୍ୟୁରୋ : କୋରାପୁଟ ଲୋକସଭା ଆସନ ଉପରେ ତିନି ଦଳର ଆଖି । ଏହି ଆସନରୁ ବିଜେଡି ପୁଣିଥରେ ବିଜୟୀ ହେବା ଲକ୍ଷ୍ୟ ରଖିଥିବା ବେଳେ କୋରାପୁଟକୁ ଛଡ଼ାଇ ନେବାକୁ ଜୋରଦାର ଉଦ୍ୟମ ଚଳାଇଛି ବିଜେପି । ତେବେ ବିଜେପି କାହାକୁ ଟିକେଟ୍ ଦେବ ଏ ନେଇ ଚାଲିଛି ଜୋରଦାର କସରତ । କାରଣ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଉଭୟ ଦଳୀୟ ଟିକେଟ ପାଇଁ ଦାବିଦାର ।

ବିଜେପିର ଦୁଇ ହେଭିୱେଟ୍ ନେତା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଟିକେଟ୍ ପାଇଁ ଦୁହେଁ ଦାବିଦାର । ଏହି ନିର୍ବାଚନ ମଣ୍ଡଳୀରେ ଉଭୟ ପାଙ୍ଗି ଓ ଗମାଙ୍ଗଙ୍କର ରହିଛି ନିଜସ୍ୱ ପାରମ୍ପରିକ ଭୋଟ ବ୍ୟାଙ୍କ । ଅନେକ ଦିନ ଧରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପୁଣି ମଇଦାନକୁ ଓଲ୍ଲାଇବା ପାଇଁ ମନ ବଳାଇଛନ୍ତି । ମଂଚ ଉପରେ ନିଜର ପାରମ୍ପରିକ ସଙ୍ଗୀତ ପରିବେଷଣ କରି ଜନତାଙ୍କ ନିକଟତର ହେବା ପାଇଁ ଉଦ୍ୟମ କରୁଛନ୍ତି ଗମାଙ୍ଗ । ସେପଟେ ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଜୟରାମ ପାଙ୍ଗୀ, ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡିଛନ୍ତି ।

ସେପଟେ ବିଜେଡି ଟିକେଟ ପାଇବା ପାଇଁ ପୁଣିଥରେ ସାଂସଦ ଝିହ୍ନ ହିକକା ଆଶା ବାନ୍ଧି ରହିଥିବା ବେଳେ ପଟାଙ୍ଗି ବିଧାୟକଙ୍କ ନାଁ ମଧ୍ୟ ଜୋରସୋରରେ ଚର୍ଚ୍ଚା ହେଉଛି । ତେବେ ଦଳ ମହିଳା ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ଭିତରେ ଝିହ୍ନଙ୍କ ପତ୍ନୀ କୌଶଲ୍ୟା ହିକ୍କା, ନବୀନ ନିବାସରେ ଳବି ଆରମ୍ଭ କରିଥିବା କୁହାଯାଉଛି । ସରକାରୀ ଚାକିରିରୁ ଇସ୍ତଫା ଦେଇ ପ୍ରସ୍ତୁତି ଚଳାଇଛନ୍ତି କୌଶଲ୍ୟା । ବିଜେଡ଼ି-ବିଜେପି ଟକ୍କର ଭିତରେ ପୁଣି ଗଡ଼ ହାତେଇବାକୁ କଂଗ୍ରେସ ଆରମ୍ଭ କରିଛି କସରତ । ଦଳୀୟ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଳାକାଙ୍କ ପୁଅ ସପ୍ତଗିରି ଉଲାକାଙ୍କ ପଲ୍ଲା ଭାରି ରହିଛି । ଦଳୀୟ ଟିକେଟ୍ ପାଇଁ ତୀବ୍ର ପ୍ରତିଯୋଗିତା ଭିତରେ ଦେଖିବାକୁ ବାକି ରହିଲା, କାହାକୁ କେଉଁ ଦଳରୁ ମିଳିବ ଟିକେଟ୍ ।