ଓଡିଶାର ଗାଁରେ ଆନ୍ଧ୍ର ଅଫିସରଙ୍କ ଭତ୍ତା ବଂଟନ ପରେ ପ୍ରତିକ୍ରିୟା ପ୍ରକାଶ କଲା ଓଡିଶା

36

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୁଟିଆ ପଂଚାୟତର ୨୧ଟି ଗାଁ ଉପରେ ଆନ୍ଧ୍ର ସରକାରଙ୍କ ଆଖି । ଓଡିଶା ସହ ସୀମା ବିବାଦ ଭିତରେ, ଏସବୁ ଗାଁକୁ କବଜା କରିବା ପାଇଁ ସାଂଘାତିକ ଷଡଯନ୍ତ୍ର । ଆଉ ପଡୋଶୀ ସରକାରଙ୍କ ଷଡଯନ୍ତ୍ର ଧରାପଡିଯାଇଛି ଯେତେବେଳେ ଏହିସବୁ ସୀମାନ୍ତ ଗାଁରେ ପହଂଚିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାରଙ୍କ ସହ ରାଜନୈତିକ ନେତା । ଜନ୍ମଭୂମି କାର୍ଯ୍ୟକ୍ରମ ଜରିଆରେ ତଳଗଞ୍ଜେଇପଦର ଗାଁରେ କମ୍ବଲ, ପଲିଥିନ, ସୋଲାର ଲାଇଟ ବାଂଟିବାଠାରୁ ଆରମ୍ଭ କରି ଲୋକଙ୍କୁ ଜବକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରିଛନ୍ତି ।

ଓଡିଶା ମାଟିରେ ଆନ୍ଧ୍ର ପ୍ରାଶାସନିକ ଅଧିକାରୀଙ୍କ ଏଭଳି ସନ୍ଦେହଜନକ କାର୍ଯ୍ୟକଳାପର ଖବର ପାଇ କୋଟିଆ ପଂଚାୟତ ତଳଗଞ୍ଜେଇପଦର ଗାଁରେ କୋରାପୁଟ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପହଂଚିଥିଲେ ଏକ ଟିମ୍ । ଘଟଣାର ଛାନଭିନ କରିବା ସହ ଓଡିଶା ସରକାର ଅଂଚଳର ସମସ୍ତ ପ୍ରକାର ବିକାଶ ପାଇଁ ଯତ୍ନବାନ ଅଛନ୍ତି ଓ ଯାହା ସମସ୍ୟା ରହିଛି ସମାଧାନ କରାଯିବ ବୋଲି ପ୍ରତୁଶ୍ରୁତି ଦେଇଥିଲେ । ପରେ ଏହି ଅଧିକାରୀମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

– କୋରାପୁଟ କୁଟିଆ ପଂଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର ସହିତ ସୀମା ବିବାଦ ରହିଛି

– ୧୯୬୮ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ

– ମାମଲା ବିଚାରାଧୀନ ଥିବାବେଳେ ଗାଁ ଗୁଡିକୁ କବଜା ପାଇଁ ଆନ୍ଧ୍ରର ଏହା ଚାଲ ନୁହେଁ ତ?

– ଉପହାର ଦେଇ ଲୋକଙ୍କୁ ଆନ୍ଧ୍ରରେ ମିଶିବା ପାଇଁ ପ୍ରବର୍ତ୍ତାଉଛନ୍ତି କି ପଡୋଶୀ ସରକାର?

– ଓଡି଼ଶା ମାଟିରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଯୋଜନା ଚଳାଇବା ପଛର ଉଦ୍ଦେଶ୍ୟ କ’ଣ? 

ଓଡିଶାର କୁଟିଆ ପଂଚାୟତକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ ଆନ୍ଧ୍ରର ଏଭଳି ଏକପାଖିଆ ପଦକ୍ଷେପ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏବଂ ଓଡିଶା ସରକାର ତୁରନ୍ତ ଏହି ବିବାଦ ଉପରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।