କୋରାପୁଟ ଜୟନ୍ତଗିରି ଆଦର୍ଶ ବିଦ୍ୟାଳୟରେ ଆନ୍ଦୋଳନ : ବିଭିନ୍ନ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଅଭିଭାବକ

43

କନକ ବ୍ୟୁରୋ : କୋରାପୁଟ ଜୟନ୍ତଗିରି ଆଦର୍ଶ ବିଦ୍ୟାଳୟରେ ଅବିଭାବକଙ୍କ ଆନ୍ଦୋଳନ । ପିଲାଙ୍କ ଟିସି ନେବାକୁ ଭିଡ଼ । ବିନା ମୂଲ୍ୟରେ ଇଂରାଜୀ ଭାଷାରେ ପାଠ ପଢ଼ିବେ, ବେସରକାରୀ ବିଦ୍ୟାଳୟ ପିଲାଙ୍କ ସହ ସମକକ୍ଷ ହୋଇ ଆଦର୍ଶ ବନିବେ, ଏହି ଆଶା ନେଇ ଖୋଲାଯାଇଥିଲା ଆଦର୍ଶ ବିଦ୍ୟାଳୟ । ହେଲେ ଏହାର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି କୋରପୁଟ ଜିଲ୍ଳାରେ ।

ଜିଲ୍ଳାର ୧୪ଟି ବ୍ଳକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ ସୁଦ୍ଧା ସ୍କୁଲ ଗୁଡିକ ଏବେ ସମସ୍ୟା ବହୁଳ ବୋଲି ଅଭିଯୋଗ ହୋଇଛି । ଜୟପୁର ବ୍ଳକର ଜୟନ୍ତଗିରି ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅବିଭାବକମାନେ ପଦାକୁ ଆସି ସରକାରଙ୍କ ବିରୋଧରେ ଆନ୍ଦଳନ କରିଛନ୍ତି । ସ୍କୁଲରେ ପିଇବା ପାଣିର ଅଭାବ ଥିବା ବେଳେ ଉପଯୁକ୍ତ ଶିକ୍ଷକ ନାହାନ୍ତି । ଖାଲି ଏତିକି ନୁହେଁ ପିଲାଙ୍କୁ ପୋଷାକ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି ।

ପିଲାଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଜଣାଇଲା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଅଭିଭାବକ ରାସ୍ତାକୁ ଓହ୍ଲାଇଛନ୍ତି । ସ୍କୁଲକୁ ୭ ଦିନ ଯାଏଁ ପିଲାଙ୍କୁ ସ୍କୁଲକୁ ପଠାଇବେ ନାହିଁ ବୋଲି ଧମକ ଦେଇଛନ୍ତି । ଏହାରି ଭିତରେ ସରକାର ନ ଶୁଣିଲେ, ଜାତୀୟ ରାଜପଥ ଅବରୋଧ କରିବେ ବୋଲ କହିଛନ୍ତି । ତେବେ ଏବେ ସୁଦ୍ଧା ଏହି ସ୍କୁଲରୁ ୪୫ ଜଣ ପିଲା ଟିସି ନେଇ ସାରିଥିବା ଜଣାପଡିଛି ।

ପଂଚାୟତ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକ ରାତାରାତି ନଡ଼ିଆ ଭାଙ୍ଗି ଦେଲେ । କିନ୍ତୁ ସ୍କୁଲ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ତାହା ଦେଖିବା ଭୁଲିଗଲେ । କଂଗ୍ରେସ ସରକାର ଅମଳରେ ଏହି ଯୋଜନା ହୋଇଥିଲା । ପିଲାଙ୍କ ଭବିଷ୍ୟତ ସହ ଖେଳିବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।