କନକ ନ୍ୟୁଜ କ୍ୟାମେରା ସାମନାରେ କୁନ୍ଦୁଲି ପୀଡିତାଙ୍କ ଅଭିଯୋଗ : କହିଲେ, ବୟାନ ବଦଳାଇବାକୁ ଚାପ ପକାଉଛି ପୁଲିସ

21

କନକ ବ୍ୟୁରୋ : ୧୭ ଦିନ ବିତିଗଲାଣି, ହେଲେ କୁନ୍ଦୁଲି ଗଣବଳାତ୍କାର ଉପରୁ ପରଦା ଉଠାଇପାରୁନି ପୁଲିସ । ସେପଟେ ସାଂଘାତିକ ଅଭିଯୋଗ କରିଛନ୍ତି ନାବାଳିକା ପୀଡିତା । ବୟାନ ବଦଳାଇବାକୁ ଚାପ ପକାଯାଉଥିବା କ୍ୟାମେରା ଆଗରେ କହିଛନ୍ତି ପୀଡିତା । ପୀଡିତା ଅଭିଯୋଗ କରିଛନ୍ତି, ରାତି ଅଧିଆ ପୁଲିସ ମେଡିକାଲକୁ ଆସି ବାରମ୍ବାର ତାଙ୍କୁ ବୟାନ ବଦଳାଇବାକୁ ବାଧ୍ୟ କରୁଛି ।

ପୀଡିତା କହିଛନ୍ତି ,ଗୋଟିଏ ଦିନ ରାତି ୧୨ଟାରେ ପୋଲିସମାନେ ଆସିଥିଲେ ମାଡାମ୍ । ସେମାନେ ମୋତେ କହିଲେ ତୋର ସବୁ କଥା ଧରାପଡିଗଲାଣି । ତୁ ସବୁ ମିଛ କଥା କହୁଛୁ । ଆଉ ତୋ ଭାଇ ନିଜେ ଆସି କହିଲାଣି ସେ ନିଜେ ମୁଁ ସବୁ କରିଛି ବୋଲି । ତୁ କାହିଁକି ମିଛ କହୁଛୁ ବୋଲି ମୋତେ କହିଲେ । ହେଲେ ମୁଁ ମନା କଲି ତାପରେ ବି ସେମାନେ ମୋତେ ବହୁତ ଜୋର ଜବରଦସ୍ତ କରି ପଚାରିଲେ ମାଡାମ୍ । ତାପରେ ମୁଁ ନାହିଁ ବୋଲି କି କହିଲି ତାପରେ ମୋ ଭାଇକୁ ଆଣି କି ମୋ ସାମନାରେ ବସେଇ କି ପଚରାଉଚରା କଲେ ମାଡାମ୍ ମୋତେ ।

ରିପୋର୍ଟର—ଯେଉଁ ପୋଲିସ ଆସିଥିଲେ ତାଙ୍କର ଷ୍ଟାର ଲାଗିଥିଲା?
ପୀଡିତା– ନାହିଁ ମାଡାମ ଡ୍ରେସରେ ଆସିନଥିଲେ । ବିନା ଡ୍ରେସରେ ଆସିଥିଲେ ।
ରିପୋର୍ଟର- ବିନା ଡ୍ରେସରେ ଆସିଥିଲେ
ପୀଡିତା-ହଁ
ରିପୋର୍ଟର-କେମିତି ଜାଣିଲୁ ପୋଲିସ୍ ବୋଲି?
ପୀଡିତା- ସେମାନେ ଆଗରୁ ଆସୁଛନ୍ତି ମାଡାମ୍ । ଆଗରୁ କହିଥିଲେ ଡିଆଇଜି ମାଡାମ,ମମତା ମାଡାମ୍ ।

ଏହିପରି ଅନେକ ପ୍ରଶ୍ନ ଏବେ ମାମଲାକୁ ଆହୁରି ସଂଗୀନ କରିଦେଇଛି । ପୀଡିତାଙ୍କ ଅଭିଯୋଗ ଯଦି ସତ ହୁଏ, ତେବେ ଘଟଣା ପଛରେ ସାଂଘାତିକ ଷଡଯନ୍ତ୍ର ହେଉଥିବା ଅନୁମାନ କରାଯାଉଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋରାପୁଟ ଏସପି । ସେ କହିଛନ୍ତି, ଖୁବଶୀଘ୍ର ସତ ପଦାକୁ ଆସିବ । ମେଡିକାଲରୁ ଜେଏମଏଫସି କୋର୍ଟରେ ପୀଡିତାଙ୍କୁ ନିଆଯାଇ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ହେପାଜତରେ ନାବାଳିକାଙ୍କୁ ଛଡାଯାଇଛି । ସେପଟେ ଘଟଣା ପରେ ଗାଁରେ ଅସୁରକ୍ଷିତ ମନେ କରୁଛନ୍ତି ପୀଡିତାଙ୍କ ପରିବାର ।

ଗତ ଅକ୍ଟୋବର ୧୦ ତାରିଖ ଦିନ କୋରାପୁଟର ସେମିଳିଗୁଡା ଅଂଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ ଜଣ ଯବାନ ଜଙ୍ଗଲ ମଧ୍ୟରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଲୋକେ । ଗୁରୁତର ଆହତ ହୋଇଥିବା ନାବାଳିକା ଡାକ୍ତରଖାନାରେ ୧୭ ଦିନ ଧରି ଚିକିତ୍ସିତ ହେଉଥିଲେ ।