ଖଟୁଛି ଚାଷୀ, ଲାଭ ଖାଉଛି ଦଲାଲ ! ଶୀତଳ ଭଣ୍ଡାର ନଥିବାରୁ ଚାଷୀ ହତାଶ, ଦଲାଲ ଉଠାଉଛନ୍ତି ଫାଇଦା,ଶାଗ ମାଛ ଦରରେ ବିକ୍ରି ହେଉଛି ପରିବା

131

କନକ ବ୍ୟୁରୋ : ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟୁଛି ଚାଷୀ । ହେଲେ ଲାଭ ଖାଉଛି ଦଲାଲ । ଶାଗ ମାଛ ଦରରେ ବିକ୍ରି ହେଉଛି ପରିବା । ଏପରି ଅବସ୍ଥା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟରେ । ଶୀତଳ ଭଣ୍ଡାରଟିଏ ନଥିବାରୁ ନିଜ କଷ୍ଟ ଉପାର୍ଜିତ ପନି ପରିବାକୁ ଶାଗ ମାଛ ଦରରେ ବିକି ଦେଉଛନ୍ତି ଚାଷୀ । ଯାହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି ଦଲାଲ ମାନେ ।

vlcsnap-2018-01-06-18h04m28s853ଚାଷୀଙ୍କୁ ମିଳୁନି କଷ୍ଟର ମୁଲ୍ୟ । ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ପରିବା । ଏଭଳି ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟରେ ଦେଖିବାକୁ ମିଳିଛି । ରାଜ୍ୟର ସବୁଠାରୁ ବଡ ହାଟ କୁହା ଯାଉଥିବା କୁନ୍ଦୁଲିରେ ବର୍ଷ ତମାମ୍ ଉପଲବ୍ଧ ହୋଇଥାଏ କଂଚା ପନିପରିବା । ଏଠାରୁ କଟକ, ଭୁବନେଶ୍ୱର ସହ ରାଜ୍ୟର ଅନେକ ସ୍ଥାନକୁ ଯାଇଥାଏ ପରିବା । ଏପରିକି ରାୟପୁର, ବିଶାଖାପଟନମ ସହର ଭଳି ରାଜ୍ୟ ବାହାରକୁ ମଧ୍ୟ ହୋଇଥାଏ ପରିବା ଯୋଗାଣ । ଏହି ହାଟରେ ପରିବା ବିକି ଗୁଜରାଣ ମେଟାଇଥାନ୍ତି ଜିଲ୍ଳାର ୩ ଟି ବ୍ଳକ, ନନ୍ଦପୁର, ପଟାଙ୍ଗୀ, ସେମିଳିଗୁଡ଼ାର ଚାଷୀ ମାନେ । ହେଲେ ଶୀତଳ ଭଣ୍ଡାର ଟିଏ ନଥିବାରୁ ଶାଗ ମାଛ ଦରରେ ପରିବା ବିକିବାକୁ ବାଧ୍ୟ ହୋଇଥାନ୍ତି ଚାଷୀ ।

କୁନ୍ଦୁଲି ହାଟକୁ ଜାତୀୟ କୃଷି ବଜାର ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କୁ ଉଚିତ୍ ମୂଲ୍ୟ କିପରି ମିଳିବ ସେଥିପାଇଁ ୭ କୋଟି ୫୫ ଲକ୍ଷ ଟଙ୍କାରେ ଏକ ଆଧୁନିକ ଜାତୀୟ କୃଷି ବଜାର ମଧ୍ୟ ତିଆରି କରିଛନ୍ତି । ହେଲେ ବଳକା ପରିବା ରଖିବାକୁ ଶୀତଳ ଭଣ୍ଡାର ନଥିବାରୁ ଚାଷୀଙ୍କ କାମରେ ଆସୁନାହିଁ କୃଷି ବଜାର ।

ଅନ୍ୟପଟେ ବଜାର ନିୟନ୍ତ୍ରୀତ କମିଟି ଚାଷୀଙ୍କ ଠାରୁ କର ଆଦାୟ କରୁଛନ୍ତି । ଆଉ କହୁଛନ୍ତି, ଚାଷୀ ପାଇଁ ସବୁ ସୁବିଧା ରହିଛି, କିନ୍ତୁ କେହି ଆସୁ ନାହାନ୍ତି । ହେଲେ ଶୀତଳ ଭଣ୍ଡାର କଥା ପଚାରିଲେ କହୁଛନ୍ତି, ହୋଇ ପାରିନାହିଁ । ଗୋଟିଏ ପଟେ ପରିବା ଦର ହୁ ହୁ ବଢି ଚାଲିଥିବା ବେଳେ ଉତ୍ପାଦିତ ପରିବାକୁ କିପରି ସଂରକ୍ଷିତ କରାଯାଇ ପାରିବ ସେ ନେଇ ଦୃଷ୍ଟି ନାହିଁ ସରକାରଙ୍କର । ଫଳରେ ପନିପରିବାର ଦର ବଢିବା ସହ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି ।