କନକ ବ୍ୟୁରୋ : ଡେରିରେ ହେଉ ପଛେ ଚେତିଲା ପ୍ରଶାସନ । ଏଣିକି ଆଉ ଖଟିଆରେ ଆଉ ବୁହାହେବେନି ଗର୍ଭବତୀ । ଗର୍ଭବତୀ ମହିଳାଙ୍କୁ ଟ୍ରାକ୍ କରାଯାଇ ଛୁଆ ଜନ୍ମ ତାରିଖର ୧୦ ଦିନ ଆଗରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ସ୍ୱାସ୍ଥ୍ୟ ବିଭାଗର ନୁଆ ତାଲିକା ପ୍ରସ୍ତୁତ କରାଯାଇ ଗର୍ଭବତୀ ମହିଳାଙ୍କୁ ଟ୍ରାକ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜନ୍ମ ସମୟ ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ଟ୍ରାକ କରି ସେମାନଙ୍କୁ ବୁଝାଇ ମାଆ ଗୃହ ହେଉ କି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କି ମୁଖ୍ୟ ଚିକିତ୍ସାଳୟରେ ଆଣି ରଖି ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋରାପୁଟ ଜିଲ୍ଳାରେ ହଜାରରୁ ଅଧିକ ଗାଁ ଅପହଂଚ ଇଲାକାରେ ରହିଛି । ବର୍ଷା ଦିନରେ ବିଭିନ୍ନ କାରଣରୁ ଏହି ଗାଁରେ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ଯିବା ସମ୍ଭବ ହେଉନି । ଫଳରେ ଗର୍ଭବତୀ ମାନେ ବିଭିନ୍ନ ସମୟରେ ଅସୁବିଧାରେ ପଡୁଛନ୍ତି ।
ନିକଟରେ ନାରାୟଣ ପାଟଣାରେ ଗର୍ଭବତୀ ମହିଳାଙ୍କ ଏକ ଖଟିଆରେ ବୋହି ନେବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହା କୋରାପୁଟ ଜିଲ୍ଲାକୁ ବେଶ ଲଜ୍ୱିତ କରିଥିଲା । ଘଟଣା ପରେ ଏବେ ଜିଲ୍ଲା ପ୍ରଶାସନର ନିନ୍ଦ ଭାଙ୍ଗିଛି । ଗର୍ଭବତୀଙ୍କୁ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଆଣି ପ୍ରସବ ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ସମ୍ଭାବ୍ୟ ବର୍ଷାକୁ ଦେଖି ୧୨ ଜଣ ଗର୍ଭବତୀ ମହିଳାଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅଣାଯାଇ ମାଆ ଗୃହରେ ରଖାଯାଇଛି ।