କଟକ ବଡମେଡିକାଲରୁ ଡିସଚାର୍ଜ ହେବ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁ ! କୋରାପୁଟ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମଗାଗଲା ସମୟ

48

କନକ ବ୍ୟୁରୋ: କୋରାପୁଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁକୁ ଆଜି କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯିବ । ତେବେ ଏଠାରୁ କୋରାପୁଟକୁ ଯିବା ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବ ବୋଲି କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି ।

କଟକ ବଡ଼ମେଡିକାଲରେ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉକ୍ତ ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆଜି ଡିସଚାର୍ଜ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଯୋଗାଯୋଗ କରାଯିବ । ଯଦି ମୁଖ୍ୟମନ୍ତ୍ରୀ ଭେଟିବାକୁ ସମୟ ଦିଅନ୍ତି, ତାହେଲେ ଆଜି ନବୀନ ନିବାସ କିମ୍ବା ସଚିବାଳୟରେ ଉକ୍ତ ଶିଶୁକୁ ନେଇ ଯିବୁ ବୋଲି ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି ।

ନଚେତ୍ ଶିଶୁକୁ କୋରାପୁଟ ନିଆଯିବ ବୋଲି ସେ କହିଛନ୍ତି । କୋରାପୁଟରେ ଥିବା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଶିଶୁକୁ ରଖାଯିବ । ବର୍ତ୍ତମାନ ସୁଦ୍ଧା ଶିଶୁର କେହି ଦାବିଦାର ଆସିନାହାନ୍ତି । ମାସେ ଅପେକ୍ଷା କରିବା ପରେ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବ ବୋଲି ଡିସିପିଓ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ,ଗତ ୧୧ ତାରିଖରେ କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମ୍ଭାରୀଗଡା ଜଙ୍ଗଲରୁ ଜଣେ ମୃତ ମହିଳାଙ୍କ ନିକଟରୁ ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଥିଲା । ଶିଶୁଟିର ଚିକିତ୍ସା କଟକ ବଡ଼ ମେଡିକାଲରେ ହୋଇଥିଲା ବେଳେ ତାହାର ପରିଚୟ ମିଳିନଥିଲା । ତେଣୁ ଚାଇଲ୍ଡ ଲାଇନ୍ ପକ୍ଷରୁ ତାହାର ନାମ ‘ଶ୍ରେୟା’ ରଖାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାର ଚିକିତ୍ସା କରିବା ପରେ ଏବେ ସେ ଡିସଚାର୍ଜ ହେବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇଥିବା ଏସସିବି ମେଡିକାଲ୍ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜ୍ଞାନରଂଜନ ବେହେରା ସୂଚନା ଦେଇଛନ୍ତି ।