ଝଡ ପରେ ଜଳ ଯନ୍ତ୍ରଣା : ଧନୁଆ ନାଳରୁ ପାଣି ନେଇ ବ୍ୟବହାର କରୁଛନ୍ତି କୁଶଭଦ୍ରା ନଦୀ ବନ୍ଧରେ ରହୁଥିବା ଗୋପ ଅଂଚଳର ବାତ୍ୟା ବିପନ୍ନ

52

କନକ ବ୍ୟୁରୋ : ଝଡକୁ ବଳିଗଲା ଜଳ ସମସ୍ୟା । ପିଇବା ପାଣି ପାଇଁ କଲବଲ ହେଉଛନ୍ତି ବାତ୍ୟା ବିପନ୍ନ । ଝଡରୁ ସିନା ବର୍ତି ଯାଇଛି ଜୀବନ, ହେଲେ ଜିଇଁବା ପାଇଁ ଲାଗିଛି ଜଳ ଜଂଜାଳ । ଗାଁରେ ପାନୀୟ ଜଳର ସମସ୍ୟା ଥିବାରୁ ଗ୍ରାମବାସୀଙ୍କ ଶୋଷ ମେଂଟାଇବାର ଏକମାତ୍ର ଠିକଣା ଧନୁଆ ନାଳ ପାଣି । ବାତ୍ୟା ଫୋନି ଚୋଟରେ ପୁରୀ ଜିଲ୍ଲା ଗୋପ ବ୍ଲକ ପୁରା ଛାରଖାର ହୋଇଯାଇଥିବା ବେଳେ କୁଶଭଦ୍ରା ନଦୀ ବନ୍ଧରେ ଥିବା ପାରିଚଢେଇ ଗାଁରେ ଜଳ ସମସ୍ୟାରେ ଘାଂଟି ହେଉଛନ୍ତି ଲୋକେ ।

କେବଳ ବାତ୍ୟା ବେଳେ ନୁହେଁ ବର୍ଷ ବର୍ଷ ଧରି ଗାଁରେ ପିଇବା ପାଣିର ସମସ୍ୟା ରହିଛି । ସବୂୁ ବେଳେ ଧନୁଆ ନାଳରୁ ପାଣି ସଂଗ୍ରହ କରି ପରିବାରର ଆବଶ୍ୟକତା ପୂରଣ କରିଥାନ୍ତି ଗାଁର ମହିଳା । ସେପଟେ ଜଳ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଗୋପ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଧନୁଆ ନାଳର ଦୂଷିତ ପାଣିକୁ ବ୍ୟବହାର କରି ପାରିଚଢେଇ ଗାଁର ଅନେକ ଲୋକ ବିଭିନ୍ନ ପ୍ରକାର ଚର୍ମ ରୋଗର ଶିକାର ହେବା ନଜିର ରହିଛି ।