ବିପଦରେ କୋଣାର୍କର ଜଗମୋହନ । ଭିତରେ ଚରିଗଲାଣି ଶିଉଳି, ସ୍ଲୋ ପଏଜନ ଭଳି କାମ କରୁଛି ଭିତରେ ଥିବା ବାଲି

257

କନକ ବ୍ୟୁରୋ : ଖଣ୍ଡ ଖଣ୍ଡ ହୋଇ ଭୁଶୁଡ଼ିଯିବ କୋଣାର୍କର ଜଗମୋହନ। ଏବେଠାରୁ ଧୀରେ ଧୀରେ ଉଜୁଡ଼ିଯାଉଛି ସବୁ ସ୍ଥାପତ୍ୟ। ହଜିଯାଉଛି ଓଡ଼ିଶା ଶିଳ୍ପ ଚାତୁରିର ମୁକସାକ୍ଷୀ। ବେଳ ହୁଁ ସାବଧାନ ନହେଲେ, ଜଗମୋହନ ମଧ୍ୟରେ ଥିବା ବାଲି, ଗୁଳ୍ମଜାତୀୟ ବୃକ୍ଷରାଜି ଓ ଶିଉଳି ପୂରା ସ୍ଥାପତ୍ୟକୁ ମାଟିରେ ମିଶାଇ ଦେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସ୍ଲୋ ପଏଜନ୍ ଭଳି ପୂରା ମୁଖଶାଳାକୁ ଖାଇଦେବାକୁ ବସିଛି।

ବିଶେଷଜ୍ଞମାନଙ୍କର ଏଭଳି ସତର୍କବାଣୀ ପରେ କୋଣାର୍କକୁ ନେଇ ସବୁସ୍ତରରେ ଉଦବେଗ ପ୍ରକାଶ ପାଇଲାଣି। ଏହି ପ୍ରସଙ୍ଗକୁ ନେଇ ନିଘୋଡ ନିଦରେ ଶୋଇଥିବା ରାଜ୍ୟ ସରକାରଙ୍କର ମଧ୍ୟ ଚେତା ଫେରିଛି। ଘଟଣାକୁ ନେଇ ତନାଘନା କରିଛନ୍ତି। ଅନ୍ୟପକ୍ଷରେ ଏଏସଆଇ ନିଜ ଦୋଷ ଘୋଡାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି। ଆଇନରେ ବ୍ୟବସ୍ଥା ନାହିଁ ବୋଲି ଦ୍ବାହି ଦେଇ କେନ୍ଦ୍ର ସରକାରଙ୍କୁ ବିଭ୍ରାନ୍ତ କରିବା ଲାଗି କୌଣସି ସୁଯୋଗ ଛାଡୁନାହିଁ। ଗୁଳ୍ମଜାତୀୟ ବୃକ୍ଷରାଜି ଓ ଶିଉଳି ଛଡାଇ କୀର୍ତିରାଜି ସୁରକ୍ଷିତ କରିବା ଲାଗି କୌଣସି କଟକଣା ନାହିଁ। ଏପରିସ୍ଥଳେ ଗତ ୩୦ ତାରିଖରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷ ମୁହୂର୍ତରେ ହସ୍ତକ୍ଷେପ କରିବା ପରେ କେନ୍ଦ୍ର ସଂସ୍କୃତି ବିଭାଗ ମଧ୍ୟ ତତ୍ପରତା ଦେଖାଇଛନ୍ତି।

KONARKବିଶେଷଜ୍ଞମାନଙ୍କର କହିବା ଅନୁସାରେ, କୋଣାର୍କ ଜଗମୋହନ ମଧ୍ୟରେ ଥିବା ବାଲି ପାଣି ସଂସ୍ପର୍ଶରେ ଆସିବା ପରେ ସୃଷ୍ଟି ହୋଇଥିବା ଶିଉଳି ଓ ଗୁଳ୍ମ ଜାତୀୟ ଉଦ୍ଭିଦରାଜିର ଚେର ପଥରର ଯୋଡ଼େଇ ଅଂଶକୁ ପଶି କୋଣାର୍କ ଜଗମୋହନ ପାଇଁ ମହାବିପତ୍ତିକୁ ଡାକି ଆଣିଲାଣି। ଚେର ପଥରର ଯୋଡ଼େଇ ଅଂଶକୁ ଚରି ଯାଉଥିବାରୁ ପଥର କାଳକ୍ରମେ ଗୁଣ୍ଡ ହୋଇଯାଉଛି। ଅଥଚ ଏହା ଭିତରକୁ କେହି ଯାଉନାହାନ୍ତି କି ସେହି ଗୁଳ୍ମ ଓ ଶିଉଳିକୁ ମାରିବା ପାଇଁ କୀଟନାଶକର ପ୍ରୟୋଗ କରାଯାଉନାହିଁ। ଫଳରେ ଯୋଡ଼େଇ ଅଂଶ କ୍ରମଶଃ ଦୁର୍ବଳ ହୋଇ ପଥର ଖସିବା ପରିସ୍ଥିତି ସୃଷ୍ଟି ହେଲାଣି।

konarkଏନେଇ ‘ୟୁନେସ୍କୋ’ ବାରମ୍ବାର ହସ୍ତକ୍ଷେପ କରି ଜଗମୋହନ ମଧ୍ୟରୁ ବାଲି କାଢ଼ିବା ପାଇଁ କହିଥିଲେ ହେଁ ଏଏସଆଇ ପ୍ରତିଥର ଏହି ପ୍ରମୁଖ ବିଷୟକୁ ଏଡାଇ ଚାଲିଛି। ସବୁଠୁ ବଡ଼ ଉଦାହରଣ ହେଉଛି, ୧୯୮୨ ମସିହାରେ ମନ୍ଦିର କାନ୍ଥରେ ଏକ ଫାଟ ସୃଷ୍ଟି ହୋଇଥିଲା। ଏହି ଫାଟ କ୍ରମଶଃ ମେଲୁଛି କି ନାହିଁ ଜାଣିବା ପାଇଁ ଫାଟକୁ କାଚ ଦ୍ବାରା ଲକ୍ କରାଯାଇଥିଲା। ସେହି କାଚ ଏବେ ଫାଟି ଯିବା ପରେ କାନ୍ଥର ଫାଟ ଯେ ଆସ୍ତେଆସ୍ତେ ମେଲୁଛି ତାହା ସ୍ପଷ୍ଟ ହୋଇଛି। ତା’ ପରେ ବି ଏଏସଆଇ କେବଳ ଭଙ୍ଗା ସ୍ଥାନରେ ସାଧାରଣ ପଥର ଯୋଡ଼ି ଦେଇ ଚୁପ୍ ବସିଯାଇଛି। ୧୯୫୦ ମସିହା ପରେ କୋଣାର୍କ ସୂର‌୍ୟ୍ୟମନ୍ଦିରର ସୁରକ୍ଷାକୁ ନେଇ ୧୫ଥର କମିଟି ଆସିଛି, ତଥାପି ମନ୍ଦିରର ମୁଖ୍ୟ ଶତ୍ରୁ ସାଜିଥିବା ବାଲି କାଢ଼ିବା ପାଇଁ ଏପର‌୍ୟ୍ୟନ୍ତ ଚେଷ୍ଟା ହୋଇନାହିଁ।

କେନ୍ଦ୍ର ନିର୍ମାଣ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଯେବେ ଜଗମୋହନକୁ ଲେଜର ଥ୍ରିଡିରେ ସ୍କାନିଙ୍ଗ୍ କରାଗଲା ଏହା ମଧ୍ୟରେ ଅନେକ ପଥର ଭାଙ୍ଗି ଖସି ପଡ଼ିଥିବା ନଜରକୁ ଆସିଥିଲା। ଏକ ଲୁହା ବିମ ବଙ୍କା ହୋଇଯାଇଥିବା ବେଳେ ୬୨ ଫୁଟ ଲମ୍ବର ଫାଟ ଦୃଶ୍ୟମାନ ହୋଇଥିଲା। ଏସବୁ ଜାଣିବା ପରେ ମଧ୍ୟ ୟୁନେସ୍କୋ ତୁରନ୍ତ ବାଲି କାଢ଼ିବା ପାଇଁ କହିଥିବା କଥା ଏଏସଆଇର ମନେ ପଡ଼ିଲା ନାହିଁ। ବରଂ ଫାଟ ରିପୋର୍ଟକୁ ନାଲି ଫିତା ତଳେ ବାନ୍ଧି ଉପର ଚେହେରାକୁ ସଜାଡ଼ିବାକୁ ଲାଗିଛନ୍ତି ବୋଲି ସେ କ୍ଷୋଭ ପ୍ରକଟ କରିଛନ୍ତି।

ଦୁର୍ଭାଗ୍ୟ କଥା ଏୟା ଯେ କୋଣାର୍କ ସୂଯ୍ୟମନ୍ଦିର ପରିସରରେ ୫ଟି ମନ୍ଦିର ମଧ୍ୟରୁ ଏବେ ସୁଦ୍ଧା ବଞ୍ଚିଯାଇଥିବା ମୁଖଶାଳାକୁ ସମସ୍ତେ ଦେଖୁଛନ୍ତି। ଏହା ପ୍ରତି ଏବେ ବିପଦ ସୃଷ୍ଟି ହୋଇଥିଲେ ହେଁ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେପରି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା ଏଯାଏ ଦେଖାଯାଇନାହିଁ।