କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ଭରା ପଥର ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗ : ସ୍ପଷ୍ଠୀକରଣ ରଖିଲା ଏଏସଆଇ

କୋଣାର୍କ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ

174

କନକ ବ୍ୟୁରୋ: କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ଭରା ପଥର ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛି ଏଏସଆଇ । ତେବେ ଏଏସଆଇ ପକ୍ଷରୁ କୁହାଯାଇଛି କି, ବିଗତ ୧୫ ବର୍ଷ ଧରି କୋଣାର୍କ ମନ୍ଦିରରେ କୌଣସି ପଥର ବଦଳାଇ ନୂଆ ପଥର ଲାଗି । କୋଣାର୍କ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଏଏସଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ କହିଛନ୍ତି । କେବଳ ଫାଙ୍କା ଥିବା ସ୍ଥାନରେ ହିଁ ସାଦା ପଥର ଲଗାଯାଇଛି ବୋଲି ଏଏସଆଇ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

ଖାଲି ସେତିକି ନୁହେଁ ଏଏସଆଇ ଆହୁରୀ ମଧ୍ୟ କହିଛି କି, ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଉଭୟ ଏଏସଆଇ ଏବଂ ୟୁନୋସ୍କୋ ଗାଇଡ ଲାଇନ ଅନୁସାରେ ସାଦା ପଥର ଲଗାଯାଇଛି । ମନ୍ଦିରର ପୂରାତତ୍ୱ ବଜାୟ ରଖିବା ପାଇଁ ନିୟମାବଳୀ ଅନୁସାରେ କାର୍ଯ୍ୟ କରାଯାଇଛି । ପୁରୀ ମନ୍ଦିର ସିଂହଦ୍ୱାରରେ ଥିବା ଦଶାବତାର ମୂର୍ତ୍ତି ମରାମତି ପାଇଁ କଢାଯାଇଥିଲା । ତାହା ସଂପୂଣ୍ଣ ସୁରକ୍ଷିତ ଭାବରେ ଏଏସଆଇ ନିକଟରେ ରହିଛି । ମନ୍ଦିରର ମରାମତି କାମ ସରିଲେ ତାକୁ ପୁନର୍ବାର ସ୍ଥାପନା କରିବା ବନ୍ଦୋବସ୍ତ କରାଯିବ ବୋଲି ବୋଲି ଏଏସଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ।

ଉଲ୍ଲେଖ ଥାଉ କି, କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଛି । ଅଣଓଡିଆ ଏଏସଆଇ ଅଧିକାରୀଙ୍କ ହାତରେ କୋଣାର୍କ ମନ୍ଦିରର ଭାଗ୍ୟ ରହିଥିବା ଚର୍ଚ୍ଚା ହୋଇଥିଲା । କାରଣ ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସବୁ ହଟାଯାଇ ସାଦା ପଥର ସବୁ ଲଗାଯାଉଛି । ଲୁହା ରଡ୍ ଭାରାରେ ଘୋଡେଇ ରଖି ବର୍ଷ ବର୍ଷ ଧରି ଚାଲିଛି ମରାମତି କାର୍ଯ୍ୟ । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଥିଲା ।

image courtesy – www.iskconbangalore.org

କାରଣ ଏହି ବିଶ୍ୱ ଐତିହ୍ୟ ସ୍ଥଳୀ ଯେ କୌଣସି ମୂହୁର୍ତରେ କେବଳ ପଥରସ୍ତୁପରେ ପରିଣତ ହେବାର ଆଶଙ୍କା ଦେଖାଦେଇଛି । ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ହଜି ଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ତଦନ୍ତ ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।