ସାଦା ପଥରର ଦେଉଳ ପାଲଟିଯିବ କି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର?

୨୦୦୨ରେ ଜାନକୀ ପଟ୍ଟନାୟକ କହିଥିଲେ, ବ୍ଲାକ ପାଗୋଡା ପାଲଟିଯିବ ସାଦା ପଥରର ମନ୍ଦିର

99

କନକ ବ୍ୟୁରୋ : କୋଣାର୍କର କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ସାଦା ପଥର ଲାଗିବା ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଇଛି । ଆଜି ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ସଂସ୍କୃତି ମନ୍ତ୍ରୀ କହିଛନ୍ତି, କୋଣାର୍କରେ ଏଏସଆଇ ଲଗାଇଥିବା ସାଦା ପଥର ସ୍ଥାନରେ ପୂର୍ବରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଥିଲା କି ନାହିଁ, ସେନେଇ କାହା ପାଖରେ ପ୍ରମାଣ ନାହିଁ , କେବଳ ଲୋକେ ଦେଖିଥିବା କହୁଛନ୍ତି । ସେପଟେ ନିଜ ମତରେ ଅଟଳ ରହିଛି ଏଏସଆଇ । ଏହାରି ଭିତରେ ଲାଗିରହିଥିବା ବିବାଦର ସମାଧାନ କରିବା ଆହୁରି ମୁସ୍କିଲ ହୋଇପଡିଛି ।

ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରରେ ଲାଗିଥିବା ସାଦା ପଥର ଏବେବି ଅନେକ ପ୍ରଶ୍ନ ଠିଆ କରୁଛି । କାରଣ, କାହା ପାଖରେ ନାହିଁ ବ୍ଲାକ ପାଗୋଡାର ପୂର୍ବର ଫଟୋ । ଏଏସଆଇ ଲଗାଇଥିବା ସାଦା ପଥର ସ୍ଥାନ ପୂର୍ବରୁ ଖାଲି ଥିଲା ନା ସେଠାରେ ରହିଥିଲା କାରୁକାର୍ଯ୍ୟପୂର୍ଣ୍ଣ ପଥର? ଏହି ସତ ଜାଣିବା ଆହୁରି ମୁସ୍କିଲ ହୋଇପଡିଛି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, କୋଣାର୍କରେ ପୂର୍ବରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଥିବା ଲୋକ ଦେଖିଥିବା କହୁଛନ୍ତି, ହେଲେ କାହା ପାଖରେ ତାର ପ୍ରମାଣ ନାହିାଁ

କୋଣାର୍କ ବିବାଦକୁ ନେଇ ତୁମ୍ବିତୋଫାନ ପରେ ଆଜି ବିଭାଗୀୟ ମନ୍ତ୍ରୀ ବୈଠକ ଡାକିଥିଲେ । ଏଏସଆଇର ବରିଷ୍ଠ ଅଧିକାରୀ, ବିଧାୟକ, ଓ ପ୍ରଶାସନିକ ଅଧିକାରୀ ଘଂଟା ଘଂଟି ଧରି ଆଲୋଚନା କଲେ । ହେଲେ ବିବାଦର ନିଷ୍କର୍ସ ବାହାରିପାରିଲାନି ବରଂ ରହସ୍ୟ ବଢିଗଲା ।ସୂକ୍ଷ୍ମ କାରୁକାର୍ଯ୍ୟରେ ସଜାଇ ହୋଇ ରହିଥିଲା ବିଶ୍ୱ ବିଖ୍ୟାତ ବ୍ଲାକ୍ ପାଗୋଡା । ହେଲେ ଆଜି ଏହାର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ସାଦା ପଥର । ଏଏସଆଇ ବାରମ୍ବାର ଗୋଟିଏ କଥା ଦୋହରାଉଛି ଯେ, ବିଶ୍ୱପ୍ରସିଦ୍ଧ କୋଣାର୍କରୁ ଖଣ୍ଡିଏ ବି କାରୁକାର୍ଯ୍ୟପୂର୍ଣ୍ଣ ପଥର ବାହାର କରାଯାଇନାହିଁ । କେବଳ ଖାଲି ଥିବା ସ୍ଥାନ ପୂରଣ ପାଇଁ ସେଠାରେ ସାଦା ପଥର ଲଗାଯାଇଛି । ସବୁକିଛି ଗାଇଡଲାଇନ୍ ଅନୁସାରେ ହୋଇଛି । ଏପଟେ ମନ୍ତ୍ରୀ କହିଛନ୍ତି, କୋଣାର୍କରେ ଷ୍ଟିଅରିଂ କମିଟି ବୈଠକ କରିବାକୁ ପ୍ରତ୍ନତାତ୍ୱିକ ବିଭାଗକୁ ଚିଠି ଲେଖାଯିବ ।

ଗୋଟିଏ ପଟେ ଏଏସଆଇ କହୁଛି , ଐତିହାସିକ ସ୍ଥଳୀରେ ଥିବା ଖାଲି ସ୍ଥାନ ପୂରଣ ପାଇଁ ସାଦା ପଥର ଲଗାଇବା ନିୟମ ରହିଛି । ଅନ୍ୟପଟେ ଏଏସଆଇ ନିୟମ ବାହାରକୁ ଯାଇ ଦିଲ୍ଲୀର ହୁମାୟୁନ୍ ଟମ୍ବ ଭଳି କୋଣାର୍କରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଲଗାଇବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମନ୍ତ୍ରୀ କହୁଛନ୍ତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ସତ କହୁଛି କି ଏଏସଆଇ? ସତରେ କ’ଣ ପୂର୍ବରୁ ମନ୍ଦିରରେ ଖାଲି ସ୍ଥାନ ରହିଥିଲା? ଏଏସଆଇ ଦେଖାଇବ କି କୋଣାର୍କର ଖାଲି ଥିବା ସ୍ଥାନର ପୂର୍ବ ଫଟୋ? ନା ସାଦା ପଥରର ଦେଉଳ ପାଲଟିଯିବ ବିଶ୍ୱପ୍ରସିଦ୍ଧ କୋଣାର୍କ?

୨୦୦୧ ଏପ୍ରିଲ ଥିଲା କୋଣାର୍କ ସଂରକ୍ଷଣର ଶତବର୍ଷପୂର୍ତି । ସେହି ଅବସରରେ ଶତାବ୍ଦୀ ପତ୍ରିକାର ୨୦୦୨ ମସିହା ୧୫ ଫେବୃଆରୀ ସଂଖ୍ୟାରେ ‘ସଂହାର ନା ସଂରକ୍ଷଣ’ ଶୀର୍ଷକରେ ଏକ ମୁଖ୍ୟ ପ୍ରସଙ୍ଗ ପ୍ରକାଶ ପାଇଥିଲା । ତାହା ପ୍ରସ୍ତୁତ କରିଥିଲେ ସଂପାଦକ ଚନ୍ଦ୍ରଭାନୁ ପଟ୍ଟନାୟକ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ପୂର୍ବାଂଚଳ ଅଧିକ୍ଷକ ଡକ୍ଟର ଚାଓଲେଙ୍କୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସେତେବେଳେ ଗୋଟିଏ ପ୍ରଶ୍ନ କରିଥିବା କଥା ସେଥିରେ ଉଲ୍ଲେଖ ଅଛି । ଜାନକୀବାବୁଙ୍କ ପ୍ରଶ୍ନ ଥିଲା, କୋଣାର୍କ ମନ୍ଦିରରେ ସାଧାରଣ ପଥର ସ୍ଲାବ୍ ଯେତେ ପରିମାଣରେ ବ୍ୟବହାର ହେଲାଣି, ତାହା ଅବ୍ୟାହତ ରହିଲେ ଦିନେ ପୁରା କୋଣାର୍କ ସାଦା ପଥରର ଦେଉଳରେ ପରିଣତ ହୋଇଯିବ । ସେତେବେଳେ କିଏ କାହିଁକି କୋଣାର୍କ ଦେଖିବାକୁ ଆସିବ । ସେଦିନ ତାହାର କୌଣସି ଉତର ଡକ୍ଟର ଚାଓଲେଙ୍କ ପାଖରେ ନଥିଲା । ଆଜି ବି ଏପ୍ରଶ୍ନର ସନ୍ତୋଷଜନକ ଉତର ଆମକୁ ମିଳିନାହିଁ ।