ପୁଣି ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବାରମ୍ବାର ଦାବି ସତ୍ୱେ ଶୁଣୁନାହିଁ ପ୍ରତ୍ନତତ୍ତ୍ୱ ବିଭାଗ, ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ଲୋକ

53

କନକ ବ୍ୟୁରୋ : ପୁଣି ଥରେ ଲଗାଣ ବର୍ଷା ହେବାରୁ ବିଶ୍ୱଐତିହ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗତାକାଲିଠାରୁ ଲଗାଣ ବର୍ଷାରେ ମନ୍ଦିର ଚାରିପାଖରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ୬ଥର ମନ୍ଦିର ପାଶ୍ୱର୍ରେ ପାଣି ଜମି ରହିଛି । ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ କୈାଣସି ପଦକ୍ଷେପ ନେଉନଥିବାରୁ ଏପରି ଅବସ୍ଥା ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ପାଣି ଜମିରହିଥିବାରୁ କିଛି ପର୍ଯ୍ୟଟକ ମନ୍ଦିର ଭିତରେ ପ୍ରବେଶ ନକରି ଫେରିଯାଇଥିବା ଦେଖିବାକୁ ମିଳଥିଲା । କିନ୍ତୁ ଅନେକ ଲୋକ ପାଣି ଭିତରେ ପଶି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ।

 

ପର୍ଯ୍ୟଟକମାନଙ୍କ ସହ ଆସିଥିବା କିଛି ଛୋଟ ପିଲାମାନେ ମନ୍ଦିର ମଧ୍ୟରେ ଜମି ରହିଥିବା ପାଣି ମଧ୍ୟରେ ଖେଳୁଥିବା ଦେଖାଯାଇଛି । ସାମାନ୍ୟ ବର୍ଷାରେ ମନ୍ଦିରରେ ଏପରି ପାଣି ଜମିରହୁଥିବାରୁ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ଲୋକମାନଙ୍କ ମନରେ ନକରାତ୍ମକ ପ୍ରଭାବ ପଡୁଛି । ପାଣି ଜମିରହୁଥିବାରୁ ମନ୍ଦିର ଉପରେ ମଧ୍ୟ ବିପଦ ରହୁଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ମନ୍ଦିରରୁ ପାଣି ନିଷ୍କାସନ ହେବା ପାଇଂ ବାଟ ନଥିବାରୁ ଏପରି ଅବସ୍ଥା ହେଉଥିବା ଜଣାପଡିଛି । ପ୍ରତ୍ୟେକ ଦିନ କୋଣାର୍କରେ ହଜାର ହଜାର ଲୋକ ବୁଲିବାକୁ ଯାଇଥାଆନ୍ତି ତେଣୁ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।