ଦୁର୍ବଳ ହେଉଛି କୋଣାର୍କ ସ୍ଥିତି ! ସାମାନ୍ୟ ଭୂମିକମ୍ପ ହେଲେ ଭୁଶୁଡ଼ିବା ଆଶଙ୍କା ।

140

କନକ ବ୍ୟୁରୋ : ସଂକଟରେ ବ୍ଳାକ୍ ପାଗୋଡା । କୋଣାର୍କରୁ କାରୁକାର୍ଯ୍ୟପୂର୍ଣ୍ଣ ମୁର୍ତି ଗାଏବ୍ ହେବା ନେଇ ଚାଲିଥିବା ବିବାଦ ଥମିନଥିବା ବେଳେ ଓଡ଼ିଶାର ଏହି ବିଶ୍ୱ ଐତିହ୍ୟ ନେଇ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭୂମିକମ୍ପ ହେଲେ ଭୁଶୁଡି ଯାଇପାରେ କୋଣାର୍କ ମନ୍ଦିର । ଏଭଳି ଆଶଙ୍କା କରିଛନ୍ତି ରୁର୍କିର ବିଶେଷଜ୍ଞ ଟିମ୍ । ମଧ୍ୟମ ଧରଣର ଭୂମିକମ୍ପ କୋଣାର୍କକୁ ଚୁରମାର୍ କରିବାକୁ ସମର୍ଥ ବୋଲି ଏହି ଟିମ୍ କହିଛନ୍ତି । କୋଣାର୍କର ବିଭିନ୍ନ ଅଂଶକୁ ଲେଜର ସ୍କାନିଂ କରି ଦୁଇଟି ପର୍ଯ୍ୟାୟରେ ଯାଂଚ୍ ପରେ ଏଭଳି ଏକ ରିପୋର୍ଟ ଆସିଛି । ଆଉ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଜୋରଧରିଛି ରାଜନୀତି ।

ବିପଦରେ ବିଶ୍ୱ ଐତିହ୍ୟ କୋଣାର୍କ ! ସାମାନ୍ୟ ଭୂମିକମ୍ପ ହେଲେ ଭୁଶୁଡ଼ିବା ଆଶଙ୍କା । ଦୁର୍ବଳ ହେଉଛି କୋଣାର୍କ । ସ୍ଥିତି ଏପରି ହେଲାଣି ଯେ ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତାର ଭୂମିକମ୍ପ ଆସିଲେ ଭୁଶୁଡି ଯାଇପାରେ ବ୍ଲାକ୍ ପାଗୋଡା । ବିଶେଷଜ୍ଞମାନଙ୍କ ଏଭଳି ଆଶଙ୍କା ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଧାନସଭାରେ ହଟଗୋଳ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ଏ ନେଇ ରୁଲିଂ ଆଣିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ବିରୋଧୀଙ୍କ ଦାବି ପରେ କୋଣାର୍କ ସୁରକ୍ଷା ନେଇ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । 

୨୦୧୫ରେ ରୁର୍କି ସ୍ଥିତ ସେଂଟ୍ରାଲ ବିଲ୍ଡିଂ ରିସର୍ଚ ପ୍ରତିଷ୍ଠାନର ବିଶେଷଜ୍ଞ ଟିମ୍ ମନ୍ଦିରର ବିଭିନ୍ନ ଅଂଶକୁ ଲେଜର ସ୍କାନିଂ କରିବା ପରେ କୋଣାର୍କ ଦୁର୍ବଳ ହୋଇପଡୁଥିବା ସଂପର୍କରେ ପ୍ରଥମେ ରିପୋର୍ଟ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଯାଂଚ ପରେ ୨୦୧୭ରେ ମଧ୍ୟ ଏ ନେଇ ରିପୋର୍ଟ ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ଏଏସଆଇ ପାଖରେ ରହିଛି ସିବିଆରଆଇର ରିପୋର୍ଟ । କୋଣାର୍କ ନେଇ ଗଠନ ହୋଇଥିବା ଷ୍ଟିଅରିଂ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଅଛନ୍ତି । ଅର୍ଥାତ୍ ସମସ୍ତେ ଏକଥା ଜାଣିଛନ୍ତି, ହେଲେ ଏହି ରିପୋର୍ଟକୁ ଚାପି ଦିଆଯାଇଛି । କୋଣାର୍କକୁ ଏତେ ବଡ଼ ବିପଦ ରହିଥିବା ସତ୍ୱେ କେନ୍ଦ୍ର ସରକାର ବେଫିକର, ରାଜ୍ୟ ସରକାର ମଧ୍ୟ ଏ ନେଇ ଠୋସ୍ ପଦକ୍ଷେପ ନେଇନାହାନ୍ତି ।