କୋଣାର୍କ : ଅଶ୍ଳୀଳ ଇଙ୍ଗିତ ପରେ ଚଳନ୍ତା ଅଟୋରୁ ମହିଳାଙ୍କୁ ଠେଲିଲେ ଦୁର୍ବୁତ୍ତ

34

କନକ ବ୍ୟୁରୋ : ଅଶ୍ଳୀଳ ଇଙ୍ଗିତ ପରେ ଚଳନ୍ତା ଅଟୋରୁ ମହିଳାଙ୍କୁ ଠେଲିଲେ ଦୁର୍ବୁତ୍ତ । ରବିବାର ରାତି ୧୧ଟାରେ ପୁରୀ ଜିଲ୍ଲା କୋଣାର୍କ ଗୋପ ଥାନା ଅଂଚଳରେ ଏହି ଘଟଣା ଘଟିଛି । ପୀଡିତାଙ୍କୁ ଠାରୁ ଘଟଣା ଶୁଣି କିଛି ଲୋକ ଅଟୋକୁ ଗୋଡେଇ ଜଣେ ଅଭିଯୁକ୍ତକୁ କାବୁ କରି ପୁଲିସରେ ଦେଇଛନ୍ତି । ଅନ୍ୟପଟେ ଫେରାର୍ ଅଟୋ ଡ୍ରାଇଭରକୁ ଧରିବାକୁ ପୁଲିସ୍ ତନାଘନା ଚଲାଇଛି ।

ସୂଚନା ଅନୁସାରେ, ଗତକାଲି ରାତି ୧୧ଟାରେ ଜଣେ ମହିଳା ବସ୍ ଫେଲ୍ ହୋଇ ନିମାପଡାରୁ ଜୁଣେଇ ଯିବାକୁ ଅଟୋରେ ଉଠିଥିଲେ । ତେବେ ମହିଳାଙ୍କୁ ଏକାକୀ ପାଇ ଅଟୋ ଡ୍ରାଇଭର୍ ଓ ଅଟୋରେ ଥିବା ଅନ୍ୟ ଜଣେ ଯୁବକ ପ୍ରଥମେ ଅଶ୍ଳୀଳ ଇଙ୍ଗିତ କରିଥିଲେ । ପରେ ମହିଳାଙ୍କୁ ଦେହଜୀବୀ ଭଳି ବ୍ୟବହାର କରି ମୁଲଚାଲ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିବାରୁ ମହିଳାଙ୍କୁ ଗୋପ ଥାନା ଆଗରେ ଚଳନ୍ତା ଅଟୋରୁ ଦୁହେଁ ଠେଲି ଦେଇ ଚାଲିଗଲେ ।

ତେବେ ପୀଡିତା ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୀଡିତାଙ୍କ ଠାରୁ ପୁରା ଘଟଣା ଶୁଣି ଆଉ କିଛି ଲୋକ ଅଟୋକୁ ପିଛା କରି ଜଣେ ଯୁବକଙ୍କୁ କାବୁ କରି ଗୋପ ଥାନାରେ ଜିମା ଦେଇଛନ୍ତି । ସେପଟେ ଅଟୋ ଡ୍ରାଇଭର ଫେରାର୍ ହୋଇଯାଇଛି ।