ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ ! ଭାରତ ଓ ମାଲେସିଆରୁ ସାମିଲ ହେବେ ୧୦ଟି ନୃତ୍ୟଗୋଷ୍ଠୀ

19

କନକ ବ୍ୟୁରୋ : ଡିସେମ୍ବର ୧ରୁ କୋଣାର୍କରେ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ । ୫ ଦିନ ପାଇଁ ଚାଲିବାକୁ ଥିବା ଏହି ଉତ୍ସବରେ ଭାରତ ଓ ମାଲେସିଆରୁ ୧୦ଟି ପ୍ରମୁଖ ନୃତ୍ୟଗୋଷ୍ଠୀ ଭାଗ ନେବେ । ସେହିପରି ୮ଟି ବାହାର ଦେଶର ବାଲୁକା ଶିଳ୍ପୀଙ୍କ ସମେତ ଦେଶ ଭିତରୁ ୬୨ଜଣ ବାଲୁକା ଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ସୂଚନା ଦେଇଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ । ଏହି ଅବସରରେ ଓଟିଡିସି ପକ୍ଷରୁ ଭୁବନେଶ୍ୱର ଓ ପୁରୀରୁ ସ୍ୱତନ୍ତ୍ର ପ୍ୟାକେଜଯୁକ୍ତ ବସ୍ ବ୍ୟବସ୍ଥା କରାଯାଇଛି । ଉତ୍କଳୀୟ କଳା ସଂସ୍କୃତିର ଅନନ୍ୟ ସୃଷ୍ଟି କୋଣାର୍କ ସୂର୍ଯ୍ୟ ମନ୍ଦିର । ଅତୀତର ଗୌରବକୁ ବଜାୟ ରଖିବା ପାଇଁ ୧୯୮୯ରୁ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ । ଏବେ କୋଣାର୍କ ଉତ୍ସବ ଦେଶ ଭିତରେ ଓ ବାହାରେ ଏକ ବଡ଼ ସାଂସ୍କୃତିକ ଉତ୍ସବ ପାଲଟିଛି ।