ଧୂମଧାମରେ ଚାଲିଛି କୋଣାର୍କ ମହୋତ୍ସବ । ଓଡିିଶୀର ସୁଦୀର୍ଘ ଯାତ୍ରା ମଂଚସ୍ଥ କଲେ ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଡୋନା ଗାଙ୍ଗୁଲି ଓ ଦୀକ୍ଷା ମଂଜରି ଅନୁଷ୍ଠାନର ଶିଳ୍ପୀଗଣ

57

କନକ ବ୍ୟୁରୋ: ଡିସେମ୍ବର ପହିଲାରୁ ଆରମ୍ଭ ହୋଇଯାଇଛି ନୃତ୍ୟର ସବୁଠୁ ସମ୍ଭ୍ରାନ୍ତ ମହୋତ୍ସବ କୋଣାର୍କ ଉତ୍ସବ । କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶରେ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ନୃତ୍ୟ ଉତ୍ସବରେ ଭାରତ ଓ ଭାରତ ବାହାରୁ ୧୦ ଜଣ ପ୍ରତିଷ୍ଠିତ ଶିଳ୍ପୀ ଅଂଶଗ୍ରହଣ କରି ନୃତ୍ୟ ପ୍ରଦର୍ଶନ କରିବେ।

ଗତକାଲିର ମହୋତ୍ସବରେ କୋଲକାତାର ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଡୋନା ଗାଙ୍ଗୁଲି ଓ ଦୀକ୍ଷା ମଂଜରି ଅନୁଷ୍ଠାନର ଶିଳ୍ପିଗଣ ମଂଚସ୍ଥ କରିଥିଲେ ଓଡିିଶୀର ସୁଦୀର୍ଘ ଯାତ୍ରା । ଶାସ୍ତ୍ରୀୟ ଓଡିଶୀ ନୃତ୍ୟର କ୍ରମବିକାଶ ଏବଂ ଆଂଗିକ ବିବର୍ତ୍ତନକୁ ନିଖୁଣ ଉପସ୍ଥାପନ କରିଥିଲେ ଶିିଳ୍ପୀମାନେ । ମଙ୍ଗଳାଚରଣରେ ଶାନ୍ତାକାରମ, ଶୁଦ୍ଧ ନୃତ୍ୟ ପଲ୍ଲଭିରେ ଆରଭୀ ରାଗ ଓ ଅଭିନୟରେ ଅର୍ଦ୍ଧନାରିଶ୍ୱର ପରିବେଶିତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ କି, ଚଳିତ ବର୍ଷ କୋଣାର୍କ ଉତ୍ସବରେ ମାଲେସିଆରୁ ୨ଟି ନୃତ୍ୟ ଦଳ ଯୋଗଦେଇଛନ୍ତି । ଟେମ୍ପୁଲ୍ ଅଫ୍ ଫାଇନ୍ ଆର୍ଟର ଭାରତନାଟ୍ୟମ ଏବଂ ରାମଲି ଇବ୍ରାହିମଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହେବ । କୋଲକାତାରା ଡୋନା ଗାଙ୍ଗୁଲି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ, ନିରୁପମା ରାଜେନ୍ଦ୍ର ଓ ସାଥୀଙ୍କ ଦ୍ୱାରା କଥକ, ବନଶ୍ରୀ ରାଓ ଓ ସାଥୀଙ୍କ ଦ୍ୱାରା କୁଚିପୁଡ଼ି, ବିମ୍ବାମତୀ ଓ ସାଥୀଙ୍କ ଦ୍ୱାରା ମଣିପୁରୀ, ମୁମ୍ବାଇର କୈଶିକୀ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ, କନକ ରେଲେ ଓ ସାଥୀଙ୍କ ଦ୍ୱାରା ମୋହିନୀଆଟ୍ଟମ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ନୁପୂର ନୃତ୍ୟ ଏକାଡେମି ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ କରିଥିଲେ । ନୃତ୍ୟ ଉପଭୋଗ କରିବା ପାଇଁ ୩ ପ୍ରକାରର ଟିକେଟ୍ ଦେୟ ରହିଛି । ପାର୍ଶ୍ୱ ଗ୍ୟାଲେରି ପାଇଁ ଦେୟ ୨୦ ଟଙ୍କା ରହିଛି । ମୁଖ୍ୟ ଗ୍ୟାଲେରି ପାଇଁ ପ୍ରତି ସନ୍ଧ୍ୟା ପାଇଁ ଦର ୧୦୦ ଟଙ୍କା ରହିଥିବା ବେଳେ ୫ ଦିନ ପାଇଁ ଏକକାଳୀନ ଜଣେ ଟିକେଟ୍ କିଣିଲେ ୪୦୦ ଟଙ୍କାରେ ଯୋଗାଇ ଦିଆଯାଉଛି ।