୮୦ ଦଶକର ଜମିଜମା ବିବାଦ ସମାଧାନ ଦାବି : କ୍ରିୟାନୁଷ୍ଠାନର କମିଟିର କୋଣାର୍କ ବନ୍ଦ, ସୂର୍ଯ୍ୟମନ୍ଦିର ବି ଶୁନଶାନ

30

କନକ ବ୍ୟୁରୋ : ଦଶନ୍ଧି ଦଶନ୍ଧି ଧରି କୋଣାର୍କ ଓ ଏହାର ଆଖାପାଖ ୧୦ ଖଣ୍ଡ ମୌଜାରେ ଲାଗିଥିବା ଜମିଜମା ବିବାଦର ସମାଧାନ ଦାବିରେ ଆଜି କୋଣାର୍କରେ ବନ୍ଦ ପାଳନ କରାଯାଉଛି । କୋଣାର୍କ-ଭୂସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଛି । ଫଳରେ କୋଣାର୍କରେ ଚକଅଖ ସବୁ ବନ୍ଦ ରହିଛି । କୋଣାର୍କ ମନ୍ଦିର ବି ଶୂନଶାନ ରହିଛି । ୮୦ ଦଶକରୁ କୋଣାର୍କ ଓ ଏହାର ଆଖାପାଖ ୧୦ଟି ମୌଜାରେ ଜମିଜମା କିଣାବିକା ଉପରେ ସରକାର କଟକଣା ଜାରି କରିଛନ୍ତି । ଏଥି ଯୋଗୁଁ କୃଷକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ବି କୌଣସି ପ୍ରତିଶ୍ରୃତି ମିଳିନାହିଁ । ଫର୍ର କ୍ରିୟାନୁଷ୍ଠାନ କମିଟି ଆଜି ବନ୍ଦ ଡାକରା ଦେଇଛି ।

ସୂଚନାଯୋଗ୍ୟ ବିଗତ ଦିନରେ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁକ୍ଳ ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିଲା । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମନ୍ଦିରର ପ୍ରବେଶ ଶୁଳ୍କ ଭାରତୀୟ ମାନଙ୍କପାଇଁ ୩୦ରୁ ୪୦ ଟଙ୍କାକୁ ଓ ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୫ଶହରୁ ୬ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସୂଚନା ମିଳିବା ପରେ ସ୍ଥାନୀୟ ଜନସାଧାରଣ ଓ ପର୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପୂର୍ବରୁ ମନ୍ଦିରକୁ ପ୍ରବେଶ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗୁନଥିବା ବେଳେ ୯୦ ଦଶକରେ ପ୍ରଥମେ ମନ୍ଦିରକୁ ପ୍ରବେଶ ପାଇଁ ପାଞ୍ଚ ଟଙ୍କା ଶୁଳ୍କ କରାଯାଇଥିଲା । ପରେ ଏହାକୁ ବୃଦ୍ଧି କରାଯାଇ ୧୦ ଟଙ୍କା କରାଯାଇଥିଲା। ଶେଷ ଥରକ ୨୦୧୬ ଏପ୍ରିଲ ପହିଲାରେ ଭାରତୀୟ ମାନଙ୍କପାଇଁ ପ୍ରବେଶଶୁଳ୍କ ୧୦ରୁ ୩୦ ଓ ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ତାହାକୁ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ସହିତ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।