ସାମିଙ୍କ ପାଇଁ ପୁଣି ବଢିଲା ଅଡୁଆ ! କୋଲକାତା ପୋଲିସ ପଠାଇଲା ସମନ । ଆଇପିଏଲ ଖେଳିବା ନେଇ ଲାଗିବ କି ବ୍ରେକ ?

51

ପତ୍ନୀ ହସିନ ଜାହାଁଙ୍କ ସହ ଲାଗି ରହିଥିବା ବିବାଦରେ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କର ଅଡୁଆ ଥମିବାର ନାଁ ନେଉନାହିଁ । ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳୁଥିବା ମହମ୍ମଦ ସାମିଙ୍କୁ କୋଲକାତା ପୋଲିସ ସମନ ଜାରି କରିଛି ।

କୋଲକାତା ପୋଲିସ ସାମିଙ୍କୁ ପଚରାଉଚୁରା ପାଇଁ ବୁଧବାର କୋଲକାତା ପୋଲିସ ମୁଖ୍ୟାଳୟକୁ ଡାକିଛି । ଏହା ପୂର୍ବରୁ ମଧ୍ୟ କୋଲକାତା ପୋଲିସ ବିସିସିଆଇକୁ ଚିଠି ଲେଖି ଭାରତୀୟ କ୍ରିକେଟ ଟିମ୍ ସହ ସାମିଙ୍କର କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ମାଗି ସାରିଛି ।

ସୂଚନା ଅନୁଯାୟୀ, ଆଇପିଏଲ ମ୍ୟାଚକୁ ନେଇ ସାମି ଏବେ କୋଲକାତାରେ ହିଁ ଅଛନ୍ତି । ସୋମବାର ସାମିଙ୍କ ଦଳ ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ହସିନ ଜାହାଁ ଗତ କିଛି ଦିନ ତଳେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ମାଲିକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା ତାହା ଜଣାପଡିନାହିଁ । କିନ୍ତୁ ପତ୍ନୀଙ୍କ ସହ ବିବାଦରେ ଯଦି କୌଣସି ଆଇନଗତ ହସ୍ତକ୍ଷେପ ହୁଏ, ତେବେ ଆଇପିଏଲରୁ ତାଙ୍କୁ ହଟିବାକୁ ପଡିପାରେ ।

ଏହା ପୂର୍ବରୁ ହସିନ ଜାହାଁଙ୍କ ଦ୍ୱାରା ମାମଲା ରୁଜୁ ହେବା ପରେ କୋଲକାତା ପୋଲିସ ବିସିସିଆଇ ଠାରୁ ସାମିଙ୍କ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲା । ସାମି ଭାରତୀୟ କ୍ରିକେଟ ଦଳ ସହ ଫ୍ଲାଇଟରେ ଥିଲେ ନା ଅନ୍ୟ କେଉଁ ଫ୍ଲାଇଟରେ ନିଜ ଖର୍ଚ୍ଚରେ ଯାତ୍ରା କରିଥିଲେ ସେନେଇ ମଧ୍ୟ ପୋଲିସ ବିସିସିଆଇକୁ ପଚାରିଥିଲା । ସାମି ଦଳ ସହ ଦୁବାଇ ଯାଇଥିଲେ ନା ସେ ଏକାକୀ ସେଠାକୁ ଯାଇଥିଲେ ।

ଉଲ୍ଲେଖନୀୟ, ହସିନ ଜାହାଁ ସାମିଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ସାମି ଦକ୍ଷିଣଆଫ୍ରିକା ଗସ୍ତରୁ ଫେରିବା ପରେ ଦୁବାଇ ଯାଇଥିଲେ । ସେଠାରେ ସେ ଜଣେ ପାକିସ୍ତାନୀ ଝିଅଙ୍କ ସହ ଭେଟିଥିଲେ । ଏବଂ ତାଙ୍କ ସହ ସାମି ହୋଟେଲରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ଦୁଇ ଜଣଙ୍କର କଥାବାର୍ତ୍ତାର ରେକର୍ଡ ସାମିଙ୍କ ଫୋନରୁ ମିଳିଛି ।

ଏହି ସବୁ ଅଭିଯୋଗ ସହ ହସିନ ଜାହାଁ ମହମ୍ମଦ ସାମିଙ୍କ ବିରୋଧରେ କୋଲକାତାର ଲାଲ ବାଜାର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଥିଲେ । ପୋଲିସ ସାମି ଏବଂ ତାଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ବିରୋଧରେ ଆଇପିସିର ଧାରା ୪୯୮ଏ, ୩୨୩, ୩୦୭, ୩୭୬, ୫୦୬, ୩୨୮ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଥିଲା । ଏଥିରେ ଘରୋଇ ହିଂସା ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଏହା ସହ ସାମିଙ୍କ ପରିବାରର ସଦସ୍ୟଙ୍କ ଉପରେ ହସିନ ଜାହାଁଙ୍କ ସହ କ୍ରୁର ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଆଇପିସିର ଧାରା ୩୨୩ ଅନୁଯାୟୀ, ନିଜ ସ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇଥିବା ସାମିଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି । ହସିନ ଜାହାଁ ଫେସବୁକ ପେଜରେ ଗମ୍ଭୀର ଅଭିଯୋଗର ଅନେକ ପୋଷ୍ଟ ମଧ୍ୟ କରିଛନ୍ତି । ଯେଉଁଥିରେ ହ୍ୱାଟସଆପର ସ୍କ୍ରିନ ସଟ ମଧ୍ୟ ସେୟାର କରାଯାଇଛି ।