କୋଲକାତା ପୁଲିସ୍ କମିସନରଙ୍କୁ ଆଜି ପୁଣି ଜେରା କରିବ ସିବିଆଇ । ରାଜୀବ କୁମାରଙ୍କ ସହ ଟିଏମସି ନେତା କୃର୍ଣ୍ଣାଲ ଘୋଷଙ୍କୁ ବି ହେବ ପଚରାଉଚରା

74

କନକ ବ୍ୟୁରୋ: କୋଲକାତା ପୁଲିସ୍ କମିସନର୍ ରାଜୀବ କୁମାରଙ୍କୁ ଆଜି ପୁଣି ଜେରା କରିବ ସିବିଆଇ । ରାଜୀବଙ୍କ ସମେତ ଟିଏମସି ନେତା କୃର୍ଣ୍ଣାଲ ଘୋଷଙ୍କୁ ବି ପଚରାଉଚରା କରୁଛନ୍ତି ସିବିଆଇ ଅଧିକାରୀ । କୃର୍ଣ୍ଣାଲ ସିଲଂ ସ୍ଥିତ ସିବିଆଇରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି । ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶରେ ସିଲଂରେ ଜେରା କରୁଛି ସିବିଆଇ । ସାରଦା ଚିଟଫଣ୍ଡ ମାମଲାରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ସିବିଆଇ ରାଜୀବ କୁମାରଙ୍କୁ ଜେରା କରିଛି । ରାଜୀବ କୁମାର ସିବିଆଇରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସାରଦା ଚିଟଫଣ୍ଡ ମାମଲାର ଯାଂଚ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ରହିଥିଲେ ରାଜବୀ କୁମାର । ତେବେ ରାଜୀବ କୁମାର ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛି ସିବିଆଇ । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ସିବିଆଇ ପଚରାଉଚରା ବେଳେ, ରାଜୀବ କୁମାରଙ୍କୁ ପଚରାଉଚରା କରିପାରିବ କିନ୍ତୁ ଗିରଫ କରିପାରିବନାହିଁ । ଗତ ରବିବାର ଚଢାଉ ପାଇଁ ସିବିଆଇ ରାଜୀବ କୁମାରଙ୍କ କୋଲକାତା ବାସଭବନରେ ପହଁଚିଥିଲା । ଏହି ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

କୋଲକାତା ପୁଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲା । ଏହାପରେ ସିବିଆଇ ଟିମକୁ ଅଟକ ରଖିଥିଲା କୋଲକାତା ପୁଲିସ । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଚାନକ ସିବିଆଇ ଚଢାଉକୁ ବିରୋଧରେ କରିଥିଲେ । କେନ୍ଦ୍ରର ମୋଦି ସରକାର ଜାଣି ଶୁଣି ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗ କରି ଧାରଣାରେ ବସିଥିଲେ ମମତା ବାର୍ନାଜୀ ।