ସିବିଆଇରେ ହାଜର ହେଲେ କୋଲକତା ପୁଲିସ କମିଶନର। ସାରଦା ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତି ଅଭିଯୋଗରେ ରାଜୀବ କୁମାରଙ୍କୁ ଜେରା

175

କନକ ବ୍ୟୁରୋ: କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଆଜି ସିଲଙ୍ଗରେ ପଚରାଉଚରା କରୁଛି ସିବିଆଇ ।ସାରଦା ଚିଟଫଣ୍ଡ ମାମଲାରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ସିବିଆଇ ରାଜୀବ କୁମାରଙ୍କୁ ଜେରା କରୁଛି । ରାଜୀବ କୁମାର ସିବିଆଇରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସାରଦା ଚିଟଫଣ୍ଡ ମାମଲାର ଯାଂଚ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ରହିଥିଲେ ରାଜବୀ କୁମାର ।

ସିବିଆଇର ଅଭିଯୋଗ, ରାଜୀବ କୁମାର ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଛନ୍ତି । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ସିବିଆଇ ପଚରାଉଚରା ବେଳେ, ତାଙ୍କୁ ଗିରଫ କରିପାରିବନି । ଗତ ରବିବାର ଚଢାଉ ପାଇଁ ସିବିଆଇ ରାଜୀବ କୁମାରଙ୍କ କୋଲକାତା ବାସଭବନରେ ପହଁଚିଥିଲା । ଏହି ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

କୋଲକାତା ପୁଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲା । ଏହାପରେ ସିବିଆଇ ଟିମକୁ ଅଟକ ରଖିଥିଲା କୋଲକାତା ପୁଲିସ । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଚାନକ ସିବିଆଇ ଚଢାଉକୁ ବିରୋଧରେ କରିଥିଲେ । କେନ୍ଦ୍ରର ମୋଦି ସରକାର ଜାଣି ଶୁଣି ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗ ଲଗାଇ ଧାରଣାରେ ବସିଥିଲେ ମମତା ବାର୍ନାଜୀ ।