ଅସହ୍ୟ ଜାଡରେ ମଣ୍ଡିରେ ରାତି କାଟୁଛି ଚାଷୀ : ଟାର୍ଗେଟ ପୂରଣ ଆଳ ଦେଖାଇ ୭ ଦିନ ହେଲା କଳାହାଣ୍ଡିର ବିଭିନ୍ନ ମଣ୍ଡିରୁ ଉଠୁନି ଧାନ

33

କନକ ବ୍ୟୁରୋ :  ମଣ୍ଡିରେ ଧାନ ରଖି ରାତି ଉଜାଗର ଚାଷୀ । ଅସହ୍ୟ ଜାଡରେ ଘରଦ୍ୱାର ଛାଡି ୭ ଦିନ ହେଲା ମଣ୍ଡିରେ ପରିଶ୍ରମକୁ ଜଗିରହିଛି କଳାହାଣ୍ଡିର ଚାଷୀ । ଜିଲ୍ଲାର କୋକସରାର ଓ କାଶିବାହାଲ ମଣ୍ଡିରେ ଶତାଧିକ ଚାଷୀଙ୍କ ଶହଶହ ବସ୍ତା ଧାନ ପଡିରହିଛି । କୋକସରା ବ୍ଳକରେ ୬ଟି ପେକ୍ସ ଜରିଆରେ ନଭେମ୍ବର ମାସ ଦ୍ୱତୀୟ ସପ୍ତାହରୁ ଧାନକିଣା ଆରମ୍ଭ ହୋଇଥିଲା । ହେଲେ ସେହି ସମୟରେ ଆର୍ଦ୍ରତା ନାଁରେ ମିଲର୍ସମାନେ ଚାଷୀଙ୍କୁ କଟନିଛଟନି ପାଇଁ ବାଧ୍ୟ କରିଥିଲେ । ଏବେ ଟାର୍ଗେଟ ଆଳରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ମସୁଧା ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି ।

କୋକସରା ମଣ୍ଡିରେ ୩ ହଜାର ୫ଶହ କ୍ୱିଂଟାଲ ଧାନ ପଡି ରହିଥିବା ବେଳେ କାଶିବାହାଲ ମଣ୍ଡିରେ ୧ହଜାର କ୍ୱିଂଟାଲ ଓ ଫୁପ ଗାଁ ମଣ୍ଡିରେ ୫ଶହ କ୍ୱିଂଟାଲ ଧାନ ପଡିରହିଛି । ହେଲେ ଟାର୍ଗେଟ ନଥିବା ଦର୍ଶାଇ ପ୍ୟାକ୍ସ ଧାନ କିଣିବାକୁ ମନା କରୁଥିବା ଅଭିଯୋଗ ହୋଇଛି । ଏନେଇ କୋକସରା ପ୍ୟାକ୍ସ ସଂପାଦକ ନିରଂଜନ ବାଗଙ୍କ କହିବା କଥା ୫ଟି ମିଲ ମଧ୍ୟରୁ ୨ଟି ମିଲର ଟାର୍ଗେଟ ଶେଷ ହୋଇଛି, ବାକି ୩ଟି ମିଲ ସ୍ଲୋ ଲିଫଟିଂ କରୁଥିବାରୁ ଧାନ ଷ୍ଟକ ରହୁଛି । ତେବେ ନୂଆ ଟାର୍ଗେଟ ଆସିଲେ ଏହାର ସମାଧାନ ହେବ ।

ପୁଣି ମିଲ ଗୁଡିକୁ ଟାର୍ଗେଟ ଦିଆଯାଇଛି ଏବଂ ଡିମାଣ୍ଡ ଦେଖି ଟାର୍ଗେଟ ବଢ଼ାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।