କନକ ବ୍ୟୁରୋ : ଡିସେମ୍ବର ୨୦ରେ କଟକରେ ଭାରତ-ଶ୍ରୀଲଙ୍କା ଭିତରେ ହେବ ମହାମୁକାବିଲା । ଫଟାଫଟ କ୍ରିକେଟର ମଜା ନେବେ ଓଡ଼ିଶାବାସୀ । ଚୌକା ଓ ଛକାର ବର୍ଷା ହେବ ବାରବାଟୀ ମଇଦାନ । କିନ୍ତୁ ମ୍ୟାଚ ପୂର୍ବରୁ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ଭିତରେ ନିରାଶା ଖେଳି ଯାଇଛି । ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚରେ କ୍ୟାପଟେନ କୋହଲୀଙ୍କୁ ଦେଖିବାକୁ ମିଳିବନି । ଅଥାର୍ତ କଟକ ଆସିବେନି କୋହଲି । ବିରାଟଙ୍କ ବ୍ୟାଟିଂ ଧମାକା ଦେଖିବାରୁ ବଂଚିତ ହେବ ଓଡିଶାର କ୍ରିକେଟପ୍ରେମୀ ।

ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରୁ ଓହରି ଯାଇଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟି-ଟ୍ୱେଂଟି ସିରିଜରେ ବି ଖେଳିବେନି । କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସେ ଏହି ସିରିଜ୍ ଖେଳିବେନି । ତେଣୁ ଆସନ୍ତା ୨୦ ତାରିଖରୁ କଟକ ବାରବାଟୀରେ ଆରମ୍ଭ ହେବାକୁ ଯାଉଥିବା ଟି-ଟ୍ୱେଂଟି ମ୍ୟାଚରେ କୋହଲିଙ୍କୁ ଦେଖିବାକୁ ମିଳିବନି । ତାଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଂଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ହୋଇଥିବା ବେଳେ ଟି-ଟ୍ୱେଂଟି ଦଳରେ କିଛି ନୂଆ ମୁହଁ ସାମିଲ ହୋଇଛନ୍ତି । କୋହଲିଙ୍କ ପରି ଶିଖର ଧାୱନ୍ ଓ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏହି ଶୃଙ୍ଖଳାରେ ବିଶ୍ରାମ ମିଳିଛି । ତେବେ ବିରାଟ କୋହଲି କଟକ ଆସୁ ନଥିବାରୁ ଓଡିଶା କ୍ରିକେଟ୍ ପ୍ରେମୀ ନିରାଶ ହୋଇଛନ୍ତି ।