ବିଶ୍ୱରେକର୍ଡ କଲେ ବିରାଟ । ଭାଙ୍ଗିଲେ ସଚିନ ଓ ଲାରାଙ୍କ ରେକର୍ଡ

1,141

ବିରାଟଙ୍କ ବିଶ୍ୱରେକର୍ଡ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୭ ରନ୍ କରିବା ସହ ବିଶ୍ୱରେକର୍ଡ ହାସଲ କରିଛନ୍ତି କ୍ୟାପଟେନ କୋହଲି । ଆଉ ଏହାସହ ଦୁଇ ପୂର୍ବତନ କ୍ରିକେଟର ବ୍ରାଏନ ଲାରା ଓ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର ରନ୍ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି ।

କୋହଲି ମାତ୍ର ୪୧୭ଟି ଇନିଂସରୁ ୨୦ ହଜାର ରନ୍ ହାସଲ କରିଥିବା ବେଳେ ସଚିନ୍ ଓ ଲାରା ୪୫୩ ଇନିଂସ ଖେଳିବା ପରେ ୨୦ ହଜାର ଅର୍ନ୍ତଜାତୀୟ ରନ୍ କ୍ଲବରେ ସାମିଲ ହୋଇଥିଲେ । ଆଉ ଏହାସହ ସବୁଠୁ କମ୍ ଇନିଂସରେ ଦ୍ରୁତ ୨୦ ହଜାର ରନ୍ କରିବାର ବିଶ୍ୱରେକର୍ଡ ହାସଲ କରିଛନ୍ତି କୋହଲି ।

ଏହି ସଫଳତା ହାସଲ କରିବା ସହ ବିରାଟ ବିଶ୍ୱର ୧୨ ତମ ଓ ଭାରତର ତୃତୀୟ ଖେଳାଳି ହେବାର ସୌଭାଗ୍ୟ ହାସଲ କରିଛନ୍ତି । ବିରାଟଙ୍କ ପୂର୍ବରୁ ଭାରତର ସଚିନ୍ ୩୪୩୫୭ ଓ ରାହୁଲ ୨୪୨୦୮ ରନ୍ କରି ୨୦ କ୍ଲବରେ ସାମିଲ ହୋଇଛନ୍ତି । କୋହଲି ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୭୭ ରନ୍ କରିବା ସହ ଦିନିକିଆରେ ଦ୍ରୁତ ୧୧ ହଜାର ରନ୍ କରିବାର ରେକର୍ଡ ନିଜ ନାଁରେ କରିଥିଲେ କୋହଲି । ଆଉ ଏବେ ଦ୍ରୁତ ୨୦ ହଜାର ରନ୍ କରିବାର ବଡ ରେକର୍ଡ ଭାଙ୍ଗିଛନ୍ତି ବିରାଟ ।