ରେକର୍ଡ ମାଷ୍ଟରଙ୍କ ବିରାଟ ଇନିଂସ ! କ୍ୟାପଟେନ୍ କୋହଲିଙ୍କ ନୂଆ କୀର୍ତିମାନର ସାକ୍ଷୀ ରହିଲା ଦିଲ୍ଲୀର ଫିରୋଜଶାହା କୋଟଲା ମୈଦାନ

61

କନକ ବ୍ୟୁରୋ : ରେକର୍ଡ ମାଷ୍ଟରଙ୍କ ବିରାଟ ଇନିଂସ । ଦ୍ୱିଶତକ ପରେ ପୁଣି ଦ୍ୱିଶତକ । କ୍ୟାପଟେନ୍ କୋହଲିଙ୍କ ନୂଆ କୀର୍ତିମାନର ସାକ୍ଷୀ ରହିଲା ଦିଲ୍ଲୀର ଫିରୋଜଶାହା କୋଟଲା ମୈଦାନ । ସିଂହଳୀ ବୋଲରଙ୍କୁ ଧୂଳି ଚଟାଇ ଆଉ ଏକ ଦ୍ୱିଶତକ ହାସଲ କଲେ ବିରାଟ କୋହଲି । ଆଉ ପୁଣି ଥରେ ପଛରେ ପଡିଗଲା ଅନେକ ବିଶ୍ୱ ରେକର୍ଡ । ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ କରିଥିବା ବିରାଟ ଦିଲ୍ଲୀରେ ବି ପୁଣି ହାସଲ କଲେ ଦ୍ୱିଶତକ ।

ନାଗପୁରରେ ୨୧୩ ରନ୍ ପରେ ଦିଲ୍ଲୀ ଟେଷ୍ଟରେ ୨୪୩ ରନର ଇନିଂସ ଖେଳିଲେ କୋହଲି । କିଛି ରେକର୍ଡ ଅତିକ୍ରମ କରିବା ସହ ନିଜ ନାଁରେ କରିନେଲେ ଆଉ କିଛି ବିଶ୍ୱ ରେକର୍ଡ । ନିଜ ଟେଷ୍ଟ କ୍ୟାରିୟରର ସର୍ବାଧିକ ସ୍କୋର କଲେ ଟିମ୍ ଇଣ୍ଡିଆର ଏହି ତାରକା ବ୍ୟାଟ୍ସମ୍ୟାନ୍ । ଲଗାତର ୨ଟି କ୍ୟାଲେଣ୍ଡର ବର୍ଷରେ ୩ଟି ଲେଖାଏଁ ଦ୍ୱିଶତକ ହାସଲକାରୀ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେଲେ ବିରାଟ । ୨୦୧୬ରେ ବି ୩ଟି ଦ୍ୱିଶତକ ହାସଲ କରିଥିଲେ କୋହଲି । ଲଗାତର ଦୁଇଟି ଟେଷ୍ଟ ଇନିଂସରେ ଦ୍ୱିଶତକ କରିବାରେ ଦ୍ୱିତୀୟ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ।

୧୯୯୩ରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଭାରତର ବିନୋଦ କାମ୍ବଲି କରିଥିଲେ ଏହି ବିଶ୍ୱ ରେକର୍ଡ । ଇଂଲଣ୍ଡ ବିପକ୍ଷରେ ୨୨୪ ରନ୍ ଓ ଏହା ପରେ ଜିମ୍ବାୱେ ବିପକ୍ଷରେ ୨୨୭ ରନ୍ର ଇନିଂସ ଖେଳିଥିଲେ ବିନୋଦ କାମ୍ବଲି । ଅଧିନାୟକ ଭାବେ ୬ଟି ଦ୍ୱିଶତକ ହାସଲ କରି ବ୍ରାଏନ୍ ଲାରା, ଡନ୍ ବ୍ରାଡମ୍ୟାନ୍ ଓ ମାଇକେଲ୍ କ୍ଲାର୍କଙ୍କ ଭଳି ବିଶ୍ୱସ୍ତରର କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି । ସବୁ ଇନିଂସରେ ନୂଆ ରେକର୍ଡ କରିବା ସହ ନୂଆ ଇତିହାସ ରଚିବା ଯେମିତି ଅଭ୍ୟାସରେ ପଡିଯାଇଛି ରେକର୍ଡ ମାଷ୍ଟର ବିରାଟ କୋହଲିଙ୍କର ।